ସେଫଟୀ କମିଶନରଙ୍କ ରିପୋର୍ଟରେ ସାଂଘାତିକ ତଥ୍ୟ: ଦୁର୍ଘଟଣା ପାଇଁ ରିଲେ-ରୁମ୍ ଷ୍ଟାଫ୍ ଦାୟୀ!

1,341

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରେଳବାଇ ସୁରକ୍ଷା କମିଶନ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଦୁର୍ଘଟଣା ପାଇଁ କିଏ ଦାୟୀ ସେ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରିପୋର୍ଟରେ କ’ଣ ସବୁ ଉଲ୍ଲେଖ କରାଯାଇଛି ବିସ୍ତୃତ ସୂଚନା ମିଳିନାହିଁ । ସିବିଆଇ ତଦନ୍ତ ଚାଲିଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଦାୟୀ କିଏ? କାହାର ତ୍ରୁଟି ପାଇଁ ଏତେ ବଡ ଦୁର୍ଘଟଣା ଘଟିଲା? ତାହା ରହସ୍ୟରେ ରହିଥିବାବେଳେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟ ବିଭାଗ ପକ୍ଷରୁ ସାର୍ବଜନୀନ କରାଯାଇନଥିଲେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ,
ସେଫଟୀ କମିଶନରଙ୍କ ରିପୋର୍ଟ..
– ରିଲେ-ରୁମ୍ ଷ୍ଟାଫ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ
– ସିଗନାଲ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ତ୍ରୁଟି ରହିଥିଲା

କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ଥିଲା କି ନାହିଁ ତାହା ସିବିଆଇ ତଦନ୍ତ କରିବ ।

ସେଫଟୀ କମିଶନରଙ୍କ ରିପୋର୍ଟକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ଯାହା ସୂଚନା ଅଛି, ସିଷ୍ଟମର ଫେଲ୍ୟୁଅର ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଲା । ଏହା ପଛରେ କୌଣସି ଷଡଯନ୍ତ୍ର ନାହିଁ । ତେଣୁ ସେଫ୍ଟି କମିଶନରଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉ । ଜବାବରେ ବିଜେପି କହିଛି, ସୁରକ୍ଷା ଗତ କାରଣ ଯୋଗୁଁ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ । ଚିନ୍ତା କରି ପଦକ୍ଷେପ ନିଆଯିବ ।

ଏସବୁ ଭିତରେ ଦକ୍ଷିଣ ପୂର୍ବ ରେଳ ପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରାଯାଇଛି । କ୍ୟାବିନେଟ୍ କମିଟିର ନିଯୁକ୍ତି ସମିତି ଅର୍ଚ୍ଚନାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ ପାଇଁ ଅନୁମତି ଦେଇଛି । ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲହଙ୍କାରେ ରେଲୱେ ଭେହିକିଲ ଫ୍ୟାକ୍ଟ୍ରିରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି ।