କେନ୍ଦ୍ରାପଡ଼ା ରାଜନଗରରେ ଚାଷୀଙ୍କୁ ଚିନ୍ତାରେ ପକାଇଛି ଗିରିଆ ପୋକ। ପଡ଼ୁନି କୃଷିବିଭାଗର ନଜର।

48

କନକ ବ୍ୟୁରୋ: କେତେବେଳେ ବନ୍ୟା, ବାତ୍ୟା ଭଳି ଦୈବୀଦୁର୍ବିପାକ ତ, ପୁଣି କେତେବେଳେ ରୋଗପୋକ, ଚାଷ ଆରମ୍ଭରୁ ଶେଷ ଯାଏଁ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । କେନ୍ଦ୍ରାପଡ଼ା ରାଜନଗର ହାତିନା ପଞ୍ଚାୟତର କଇଥା, ବାଉଁଶଗଡ଼ରେ ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି । ବର୍ଷାରେ ଅନିୟମିତତା ଯୋଗୁଁ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲେ ଚାଷୀ । ଏହା ସହ ଗତ ୧ ମାସ ହେଲା ଲଗାଣ ବର୍ଷା ମଧ୍ୟ ଲାଗି ରହିଛି । ଭଲ ଅମଳ ଆଶାରେ ଚାଷୀ ହାଇଲିଂ ବିହନରେ ଖରିଫ ଧାନ ଚାଷ ଆରମ୍ଭ କରିଥିଲା । ଆଉ ଏବେ ଧାନରେ କଳା କଳା ଗିରିଆ ପୋକ ଲାଗି ଧାନ ଗଛ ଗୁଡ଼ିକ ନଷ୍ଟ କରିଦେଉଛି । ଯାହାଫଳରେ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ ।

ଗତ ୮ ଦିନ ହେଲା ଛୋଟ ଛୋଟ ପୋକ ଧାନ ଗଛରେ ଲାଗି ଗଛ ଗୁଡ଼ିକୁ ମାରିଦେଉଛି । ଏହା ସହ ଗଛର ପତ୍ର ଗୁଡ଼ିକ ଧଳା ପଡ଼ିଯାଉଛି । କୀଟନାଶକ ପକାଇବା ପରେ ମଧ୍ୟ ଗଛରୁ ପୋକ ଛାଡ଼ୁନି । ପଞ୍ଚାୟତରେ ୨ହଜାର ଏକରରୁ ଉଦ୍ଧ୍ୱର୍ ଖରିଫ ଧାନ ଚାଷ କରାଯାଇଥିବା ବେଳେ ପୋକ ସବୁ ନଷ୍ଟ କରିଦେଲାଣି । କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।