ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ । ଉଭୟ ସୋସିଆଲ ମିଡିଆ ଓ ରାଜନୀତିରେ ଥିଲେ ସକ୍ରିୟ

271

କନକ ବ୍ୟୁରୋ: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଅକାଳ ବିୟୋଗ ଘଟିଛି । ହୃଦଘାତରେ ସୋନାଲିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ସେ ଗୋଆରେ ଥିଲେ ।

ଟିକଟକ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ରିଆଲିଟି ଶୋ’ ବିଗ୍ ବସ୍-୧୪ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ ।

ବିଜେପିର ହରିୟାଣା ୟୁନିଟ୍ ସୋନାଲି ଫୋଗାଟଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବରେ ମଧ୍ୟ ନିଯୁକ୍ତ କରିଥିଲା। ସେ ଗତକାଲି ରାତିରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲର ପ୍ରୋଫାଇଲ୍ ଚିତ୍ର ମଧ୍ୟ ବଦଳାଇଥିଲେ। ସୂଚନା ଅନୁଯାୟୀ, ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ଯାଇଥିଲେ। ସୋନାଲି ଅନେକ ପ୍ରସିଦ୍ଧ ଟିଭି ଧାରାବାହିକରେ କାମ କରିଥିଲେ । ସେ ରିଆଲିଟି ଶୋ’ ବିଗବସ୍ ର ୧୪ ତମ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ବିଗ୍ ବସ୍ ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନକ ଅନୁଭୂତି ସେୟାର କରିଥିଲେ । ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କ ଜୀବନ କିପରି ମୋଡ ନେଇଥିଲା ସେ ବିଷୟରେ ଅନେକ କିଛି କହିଥିଲେ । ସୋନାଲି ଜଣେ ଭଲ ଅଭିନେତ୍ରୀ ମଧ୍ୟ । ଅନେକ ସଙ୍ଗୀତ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ଜଣେ ଝିଅ ଅଛି ।

ସୋନାଲି ଫୋଗାଟ ୧୯୭୯ ସେପ୍ଟେମ୍ବର ୨୧ତାରିଖରେ ହରିୟାଣାର ଫତେହାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୬ ରେ ହିସାର ଦୂରଦର୍ଶନରେ ଆଙ୍କର୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ, ୨୦୦୮ ରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳ ପାଇଁ କାମ କରିବା ଆରମ୍ଭ କରିଥିଲେ। ୨୦୧୬ ରେ ସୋନାଲି ଫୋଗଟ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ସ୍ୱାମୀଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ୨୦୨୦ ମସିହାରେ ସୋନାଲି ଫୋଗଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ହିସାର ମାର୍କେଟ କମିଟିର ସଚିବ ସୁଲତାନ ସିଂଙ୍କୁ ଏକ ଚପଲରେ ଧକ୍କା ଦେଉଥିବାର ଦେଖିବାକୁ ମିଳିଥିଲା।