ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ହୋଇପାରିନି ବିଦ୍ୟୁତ୍ ସଂଯୋଗ: ପିଲାଛୁଆଙ୍କୁ ଧରି ଅନ୍ଧାରୀ ଜୀବନ ଜିଉଁଛନ୍ତି ଗ୍ରାମବାସୀ

56

କନକ ବ୍ୟୁରୋ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଅନ୍ଧକାରରେ ବିତୁଛି ଦିନ, ସନ୍ଧ୍ୟା ହେଲେ ଗାଁରେ ପଢୁଛି ତାଟି କବାଟ, ପିଲାଙ୍କ ପାଠ ପଢ଼ାବି ବନ୍ଦ ହୋଇଯାଉଛି କାରଣ ଏବେ ବି ବିଜୁଳି ଆଲୋକ ଠାରୁ ଅନେକ ଦୂରରେ ଏମାନେ ।

ଗାଁ ଗାଁରେ ବିଦ୍ୟୁତ୍ ସଂଯୋଗ ନେଇ ସରକାର କରୁଥିବା ନାରାବାଜିର ସତ । ସ୍ୱାଧିନତାର ୭୫ ବର୍ଷ ପରେ ବି ଅନ୍ଧାରୀ ଜୀବନ ଜିଉଁଛନ୍ତି ଭୋଗରାଇ ବ୍ଲକ ଶଙ୍ଖାଝୁରି ଗାଁର ଲୋକେ । ପିଲାଛୁଆଙ୍କୁ ଧରି ଅନ୍ଧାର କିଟ୍କିଟ୍ ରାତିରେ ଆଲୁଅକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ । କାରଣ ଗାଁରେ ବିଜୁଳି ସଂଯୋଗ ନାହିଁ, ଲିଟର ପିଛା ଶହେ ଟଙ୍କାରେ କିରୋସିନ୍ କିଣି ଘରର ସବୁ ସ୍ଥାନରେ ଡିବି ଜାଳିବା ସମ୍ଭବ ହେଉନାହିଁ । ଛାତ୍ରଛାତ୍ରୀ ଡିବି ଓ ଲଣ୍ଠନ ଜାଳି ପଢୁଥିବା ବେଳେ କୁନି ପିଲାକୁ ଦୋଳିରେ ଝୁଲାଇ ଅନ୍ଧାରରେ ଜଗି ରହୁଛନ୍ତି ମାଆ ।

ଶଙ୍ଖାଝୁରି ଗାଁର ସର୍ବାଧିକ ଲୋକ ଦିନ ମଜୁରିଆ, ଖିଟିଲେ ଖାଆନ୍ତି । ତେଣୁ ସୋଲାର ଲଗାଇ ଘରର ଅନ୍ଧାର ଦୂର କରିବା ସମସ୍ତ ପକ୍ଷରେ ସମ୍ଭବ ନୁହେଁ । ବିଜୁଳି ପାଇଁ ଗ୍ରାମବାସୀ, ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କଲେ କିଏ କହୁଛି ନିଜ ଖର୍ଚରେ ଗାଁକୁ ବିଜୁଳି ସଂଯୋଗ ନିଅ ତ ଆଉ କିଏ କହୁଛି ସମୟ ସୁବିଧା ଦେଖି ବିଦ୍ୟୁତ୍ ସଂଯୋଗ ଦିଆଯିବ । ବିଭାଗୀୟ ବାବୁମାନେ ଏମିତି କହୁଥିବା ବେଳେ ଭୋଟ ବେଳେ ବିଜୁଳିକୁ ନେଇ ପ୍ରତିଶ୍ରୁତିର ପାହାଡ ଠିଆ କରନ୍ତି ନେତା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେହି ଅନ୍ତରରୁ ଚାହାନ୍ତି ନାହିଁ ଶଙ୍ଖାଝୁରି’ ଗାଁର ସମସ୍ୟା ସମାଧାନ ହେଉ, କି ଗାଁରେ ବିଜୁଳି ଆଲୁଅ ମିଳୁ । ଅନ୍ଧାରରେ ଆଲୁଅର ସ୍ୱପ୍ନ ଦେଖୁଥିବା ବାଲେଶ୍ୱରର ଶଙ୍ଖାଝୁରି ଗାଁ ଲୋକଙ୍କ ଭାଗ୍ୟ କେବେ ବଦଳିବ? ନା କେବେ ବି ଭାଗ୍ୟ ବଦଳିବ ନାହିଁ, ତାହା କାହାକୁ ଜଣାନାହିଁ ।