ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡର ଦମଦାର ବ୍ୟାଟିଂ । ସାମିଙ୍କୁ ମିଳିଲା ୫ ୱିକେଟ୍, ବିରାଟ ବାହିନୀ ଆଗରେ ୩୩୮ ରନର ବଡ ଟାର୍ଗେଟ୍ ।

106

କନକ ବ୍ୟୁରୋ : ଜନି ବେୟାରଷ୍ଟ୍ରୋଙ୍କ ଦମଦାର ଶତକ ଏବଂ ଜସନ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଭାରତକୁ ବଡ ଟାର୍ଗେଟ୍ ଦେଇଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ବିରାଟ ବାହିନୀ ଆଗରେ ରହିଛି ୩୩୮ ରନର ବିଜୟଲକ୍ଷ୍ୟ । ସୁପରସଣ୍ଡେର ଆଜି ଖେଳାଯାଉଛି ସୁପର ମୁକାବିଲା । ବିଶ୍ୱକପର ୩୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂର ପ୍ରଦର୍ଶନ କରିଥିଲା ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜସନ ରୟ ଏବଂ ଜନି ବେୟାରଷ୍ଟ୍ରୋ ଦମଦାର ବ୍ୟାଟିଂ କରିବା ସହ ଦଳକୁ ଏକ ଦୃଢ ସ୍ଥିତିକୁ ଆଣିଥିଲେ ।

ପ୍ରଥମରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ଇଂଲଣ୍ଡ । ବର୍ମିଂହାମରେ ବଡ ବଡ ସଟ୍ ଖେଳିଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ । ଛକା ଚୌକାର ବର୍ଷା ହୋଇଥିଲା । କିନ୍ତୁ ପରେ ପରେ ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟର ପତନ ହୋଇଥିଲା । ବିଶେଷ କରି ମହମ୍ମଦ ସାମି ୫ଟି ୱିକେଟ୍ ଅକ୍ତିଆର କରି ଇଂଲଣ୍ଡର ରନ୍ ଗତିରେ ଅଙ୍କୁଶ ଲଗାଇଥିଲେ । ତେବେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଛି । ଜନି ବେୟାରଷ୍ଟ୍ରୋ ୧୦୯ଟି ବଲରୁ ୬ଟି ବିଶାଳ ଛକା ଏବଂ ୧୦ଟି ଚୌକା ବଳରେ ୧୧୧ ରନର ଶତକୀୟ ପାଳି ଖେଳିଛନ୍ତି । ସେହିପରି ବେନ୍ ଷ୍ଟୋକ୍ସ ୫୪ଟି ବଲରୁ ୩ଟି ଛକା ଏବଂ ୬ଟି ଚୌକା ବଳରେ ୭୯ ରନ୍ କରିଛନ୍ତି ।