ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ,ମୋଦୀ ଗ୍ୟାରେଣ୍ଟି ପୂରଣ ଓ ଓଡିଶାର ବିକାଶ ପାଇଁ ହୋଇପାରେ ଆଲୋଚନା ।

119

କନକବ୍ୟୁରୋ: ଦିଲ୍ଲୀ ଗସ୍ତରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦାୟିତ୍ୱ ନେବା ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଦିଲ୍ଲୀ ଯାଇଛନ୍ତି । ଚର୍ଚ୍ଚା ହେଉଛି ବିକଶିତ ଓଡ଼ିଶା ପାଇଁ ମୋଦୀ ଯେଉଁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ସେହି ମନ୍ତ୍ର ନେଇ ଫେରିବେ ନୂଆ ସରକାରର ଶୀର୍ଷ ନେତୃତ୍ୱ । ମୋଦୀ ଗ୍ୟାରେଂଟିକୁ କିଭଳି ରାଜ୍ୟରେ ଉପଯୋଗ କରାଯାଇ ପାରିବ ଏବଂ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତି କରିବ ରାଜ୍ୟ ୟୁନିଟ ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ୟ୍ୟକ୍ରମ ରହିଛି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନିଜେ ସଭା ମଂଚରୁ ଏକାଧିକ ଗ୍ୟାରେଂଟି ଦେଇଥିଲେ । ବିଜେପି ସରକାର ଆସିଲେ ବିକଶିତ ଓଡିଶା ଗଢ଼ିବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେଗୁଡିକ କେମିତି କାର୍ୟ୍ୟକାରୀ ହେବ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।