ୟୁରୋପକୁ ଦାଉ ସାଜିଛି ମରୁଡି। ଜଳୁଛି ଜଙ୍ଗଲ, ଶୁଖୁଛି ନଦୀ।

115

କନକ ବ୍ୟୁରୋ: ୟୁରୋପରେ ଶୁଖୁଛି ନଦୀ । ୟୁରୋପ ମହାଦେଶର ବିଭିନ୍ନ ନଦୀର ଜଳସ୍ତର ଶୁଖିଯାଇଥିବାବେଳେ ଅନେକ ଚିତ୍ର ସାମ୍ନାକୁ ଆସଛି ଯେଉଁଠି ଲାଗୁଛି ଏହା କେବଳ ମରୁଭୂମି । ଏହି ଚିତ୍ର ସବୁ ସ୍ପେନ, ଇଟାଲିର ବିଭିନ୍ନ ନଦୀର । ମରୁଡି କାରଣରୁ ଫ୍ରାନସର ବିଭିନ୍ନ ନଦୀ ଶୁଖିଲା ପଡିଛି । ଫ୍ରାନସର ବିଭିନ୍ନ ନଦୀରେ ବୁନ୍ଦାଏ ପାଣି ମଧ୍ୟ ଦେଖିବାକୁ ମିଳିନାହିଁ । ଏମିତିକି ୟୁରୋପର ସବୁଠାରୁ ବିଶାଳ ନଦୀ ଡେନ୍ୟୁବରେ ଜଳସ୍ତର ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି । ଅନ୍ୟପଟେ ନଦୀ ଶୁଖିବା ପରେ ନଦୀ ଅବବାହିକାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୁଦ୍ଧ ତୋପ ଦେଖିବାକୁ ମିଳିଛି । ଅନ୍ୟପଟେ କେଉଁ ନଦୀ କୂଳରୁ ପୁରୁଣା କାଳର ବୋମା ମିଳିଥିବା ବେଳେ ଆଉ କେଉଁଠୁ ପୁରୁଣା ଦିନର ପଥରଖଣ୍ଡ ମିଳିଛି । ଏମିତିକି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ଯୁଦ୍ଧ ଜାହାଜ ମଧ୍ୟ ନଦୀର ଜଳସ୍ତର ଶୁଖିବା ପରେ ଦେଖିବାକୁ ମିଳିଛି । ୟୁରୋପର ୬୩ ପ୍ରତିଶତ ଭୁମି ମରୁଡିର ସାମନା କରୁଛି । କୁହାଯାଉଛି ଗତ ୫୦୦ ବର୍ଷରେ ସବୁଠାରୁ ବଡ ମରୁଡିକୁ ସାମନା କରୁଛି ୟୁରୋପ । ଗତ ୨ ମାସ ହେଲାଣି ୟୁରୋପରେ ବର୍ଷା ହେଉନି । ଯେଉଁଥିପାଇଁ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ ।

ମରୁଡିର ଭୟାବହ ସ୍ଥିତିକୁ ସାମନା କରିଛନ୍ତି ଆମେରିକା, ଇଂଲଣ୍ଡ, ସମେତ ଅନେକ ଦେଶ । ନିକଟରେ ସାମାନ୍ୟ ବର୍ଷାରେ ବୁଡିଥିବା ବ୍ରିଟେନରେ ମଧ୍ୟ ମରୁଡିର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ଜଙ୍ଗଲ ମଧ୍ୟ ଜଳିବାର ସାଙ୍ଘାତିକ ଚିତ୍ର ସାମନାକୁ ଆସିଛି । ଫ୍ରାନସ ଓ ସ୍ପେନରେ ବର୍ଷା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ମରୁଡି ପରିସ୍ଥିତି ସୃଷ୍ଟି କରୁଛି । ଅନ୍ୟପଟେ ପିଇବା ପାଣିର ଅଭାବ ମଧ୍ୟ ଅନେକ ଦେଶ ପାଇଁ ସଙ୍କଟ ସାଜିଛି । ତେବେ ମରୁଡିର ପ୍ରଭାବ ୟୁରୋପର ମାନବଜାତି ସହ ଜୀବଜଗତ ଉପରେ ମଧ୍ୟ ପଡିଛି । ପାଣି ବୁନ୍ଦାଏ ପିଇବା ପାଇଁ ଡହଳବିକଳ ହେବାକୁ ପଡିଛି ୟୁରୋପୀୟ ପଶୁପକ୍ଷୀଙ୍କୁ । ଅନ୍ୟପଟେ ଗଛପତ୍ର ମଧ୍ୟ ମରୁଡିରେ ନିଜ ଅସ୍ତିତ୍ୱ ହରାଉଛନ୍ତି ।

ଥଣ୍ଡା ମହାଦେଶ ଭାବେ ପରିଚିତ ତଥା ପାଣି ଭର୍ତି ମହାଦେଶରେ ପାଣିର ଅଭାବ ଏବେ ଅନେକ ପ୍ରଶ୍ନ ଛିଡା କରିଛି । ଏମିତିକି ୟୁରୋପର ଜ୍ୱଳନ୍ତ ଉତ୍ତାପର ପ୍ରଭାବ ଚାଷଜମି ଉପରେ ପଡିଛି । ଯେଉଁଥିପାଇଁ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ଏହା ଗୁରୁତର ପ୍ରଭାବ ପକାଇପାରେ ବୋଲି ଅନେକ ପରିବେଶବିତ ମତ ଦେଇଛନ୍ତି ।