ଡକାୟତି ପଛରେ ଡ୍ରାଇଭର: ଧରାପଡ଼ିଲେ ମୋଷ୍ଟ ୱାଣ୍ଟେଡ୍

167

କନକ ବ୍ୟୁରୋ: ଡକାୟତମାନେ ବିଭିନ୍ନ ଉପାୟରେ ଚୋରି କରିଥାନ୍ତି । କିନ୍ତୁ ରାଜଧାନୀ ନନ୍ଦନବିହାର ଲୁଟ କାହାଣୀ ବଲିଉଡ୍ ଫିଲ୍ମଠାରୁ କମ୍ ନୁହେଁ । ସିବିଆଇ ଅଧିକାରୀର ପରିଚୟ ଦେଇ ଘର ଭିତରେ ପଶିବା ପରେ, ଦେଖାଇଲେ ଅସଲ ରୂପ । ମିଛ ଅଧିକାରୀ ହୋଇ ଆସିଥିଲେ, ହେଲେ ତାପରେ ଆରମ୍ଭ କରି ଦେଇଥିଲେ ଲୁଟ୍ପାଟ । ଡକାୟତଙ୍କୁ କମିଶନରେଟ୍ ପୋଲିସ ବାନ୍ଧିବା ପରେ ପୂରା କାହାଣୀ ସାମନାକୁ ଆସିଛି ।

ଥାନା ଭିତରେ ଛିଡ଼ା ହୋଇଥିବା ଏହି ମୁଖା ପିନ୍ଧା ଅଭିଯୁକ୍ତମାନଙ୍କ ବିରୋଧରେ ରହିଛି ଡକାୟତି ଅଭିଯୋଗ । ଏମାନଙ୍କ ଡକାୟତି ଷ୍ଟାଇଲ ବଲିଉଡର ଫିଲ୍ମ ଭଳି । ୩୦ ଜୁଲାଇରେ ନନ୍ଦନ ବିହାରର ଏକ ଘର ଭିତରେ ପଶି ଲୁଟ୍ କରିବାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ଏହି ଗ୍ୟାଙ୍ଗ ।

ଅଗଷ୍ଟ ୨
ନନ୍ଦନବିହାର, ଭୁବନେଶ୍ୱର
ସିବିଆଇ ଅଧିକାରୀ ପରିଚୟ ଦେଇ ସନ୍ଧ୍ୟା ବେଳେ ହଠାତ୍ ନିବାରଣ ପାଣିଙ୍କ ଘରେ ପଶିଗଲେ ୫ଜଣ ଡକାୟତ । ନିବାରଣ ଓ ତାଙ୍କ ପୁଅଙ୍କୁ ଚେୟାରରେ ବସାଇ ମୁହଁକୁ ସେଲୋଟେପ୍ ଗୁଡ଼ାଇ ଘର ଭିତରୁ ୨ କୋଟି ଟଙ୍କା ସୁନା ଲୁଟି ନେଇଥିଲେ । ଯାହାକୁ ନେଇ କମିଶନରେଟ୍ ପୋଲିସର ପାରିବା ପଣିଆ ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଆଉ ଏହି ମୋଷ୍ଟ ୱାଂଟେଡକୁ ଧରିବା ପାଇଁ ଦିନରାତି ଏକ କରିଦେଇଥିଲା ପୋଲିସ ।

ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲା ଏକ ବ୍ୟାଗ୍ । ବ୍ୟାଗରେ ଥିବା ସିମ୍ ଜରିଆରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ହେମନ୍ତ ଧୀର, ସନାତନ ନାୟକ, ଅର୍ବାଜ ଖାନ୍, ସଂଜୟ ମଲ୍ଲିକ ଓ ଆଜମେର ଅଲ୍ଲୀଙ୍କୁ ଗିରଫ ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଛି । ସନାତନ ବିରୋଧରେ ପୂର୍ବରୁ ୮ରୁ ଅଧିକ ସଂଗୀନ ମାନଲା ରହିଛି । ସେ ଅଭିଯୋଗକାରୀଙ୍କ ସମ୍ପର୍କୀୟ ଡ୍ରାଇଭର ବାଦଲ ଠାରୁ ସୂଚନା ପାଇ ଲୁଟର ପୂରା ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିଲେ । ନିବାରଣଙ୍କ ଘରୁ ୨ କୋଟି ଟଙ୍କା ଲୁଟ୍ ହୋଇଥିବା ବେଳେ ପୋଲିସ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି । ଘଟଣାରେ ସଂପୃକ୍ତ ଆଉ ୪ ଜଣଙ୍କୁ ଖୋଜୁଛି କମିଶନରେଟ୍ । ଖୁବଶୀଘ୍ର ଏମାନେ ପୋଲିସ ହାତରେ ଲାଗିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।