ସରକାରୀ ଦସ୍ତାବିଜ ହେରଫେର ମାମଲାରେ ନାଟକୀୟ ମୋଡ । କୋର୍ଟରେ ଆତ୍ମସମର୍ପଣ ପରେ ଗିରଫ ହୋଇ ଜାମିନ ପାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

101

କନକ ବ୍ୟୁରୋ : ଆତ୍ମସମର୍ପଣ, ଗିରଫ ଓ ଜାମିନ । ମଙ୍ଗଳବାର ମିଆମୀ କୋର୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ସବୁବେଳେ ବିବାଦ ଘେରରେ ରହିଆସିଛନ୍ତି । ଗୋଟିଏ ପରେ ଗୋଟିଏ ବିବାଦରେ ଫଶୁଛନ୍ତି । ନିକଟରେ ସରକାରୀ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଫସିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ ପରେ ମିଳିଛି ଜାମିନ । ଗୁପ୍ତ ସରକାରୀ ଦସ୍ତାବିଜ ହେରଫେର ଓ ତଥ୍ୟ ପ୍ରଘଟ ମାମଲାର ମଙ୍ଗଳବାର କୋର୍ଟରେ ପହଁଚିବାପରେ ଆତ୍ମସମର୍ପଣ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏହା ପରେ ତାଙ୍କୁ ଗିରଫ ପରେ ନିସର୍ତରେ ଜାମିନ ମଧ୍ୟ ମିଳିଥିଲା ।

ଏଫବିଆଇ ପକ୍ଷର ଟ୍ରମ୍ପ ଓ ତାଙ୍କ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ସେ ପ୍ରାଇଭେଟ ଫ୍ଲାଇଟରେ ଫ୍ଲୋରିଡାର ମିଆମୀ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ୪୫ ମିନିଟ ପର୍ଯ୍ୟନ୍ତ ଧରି ଚାଲିଥିବା ଶୁଣାଣୀରେ ନିଜକୁ ନିର୍ଦ୍ଦୋଷ କହିଥିଲେ ଟ୍ରମ୍ପ । ଜାମିନ ପାଇଁ ତାଙ୍କ ଉପରେ କୌଣସି ସର୍ତ ଲଗାନାହାଁନ୍ତି କୋର୍ଟ । ଆମେରିକ ରାଜନୀତି ଇତିହାସରେ ଜଣେ ରାଷ୍ଟ୍ରପତି ଗିରଫ ହେବା ପ୍ରଥମ ଘଟଣା । ସେପଟେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିବା ସହ ସବୁ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି ।

ଗୋଟିଏ ପରେ ଗୋଟିଏ ବିବାଦରେ ଫସିଥିଲେ ମଧ୍ୟ ଡୋନାଲଡ ଟ୍ରମ୍ପଙ୍କ ଲୋକପ୍ରିୟତା ବଜାୟ ରହିଛି । ଏନେଇ ବିଭିନ୍ନ ସର୍ଭେରୁ ମଧ୍ୟ ତଥ୍ୟ ଆସୁଛି । ଅନ୍ୟପଟେ ଜୋ ବାଇଡେନ୍ ମଧ୍ୟ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି । ଫଳରେ ଆସନ୍ତାବର୍ଷ ପୁଣିଥରେ ରିପବ୍ଲିକାନ ଦଳ ପକ୍ଷରୁ ଟ୍ରମ୍ପ ଓ ଡେମୋକ୍ରାଟ୍ସଙ୍କ ପକ୍ଷରୁ ବାଇଡେନ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।