୫ ଟଙ୍କା ଫିସରେ ୪୫ ବର୍ଷ ହେଲା କରୁଛନ୍ତି ରୋଗୀ ସେବା ! ଡାକ୍ତରଙ୍କ ଏହି ମହାନ କାର୍ଯ୍ୟକୁ ନେଇ ପ୍ରଶଂସା

92

ଏବେ ଦେଶରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ନକହିବା ଭଲ । ଆଉ ସରକାରୀ ହସ୍ପିଟାଲମାନଙ୍କରେ ଯେଭଳି ରୋଗୀ ସେବାରେ ଅବହେଳା ଦେଖାଦେଇଛି , ତାହା ପ୍ରତିଦିନର ଖବରକାଗଜ ପଢିଲେ ଜଣାପଢେ । ଏଭଳି ସମୟରେ ଜଣେ ଡାକ୍ତରଙ୍କ ୫ ଟଙ୍କା ଫିସ୍ ରେ ରୋଗୀ ସେବା କରିବା ଏକ ମହତ୍ତ୍ୱ କାର୍ଯ୍ୟ ଭାବେ ମନେହୋଇଛି । ଚେନ୍ନାଇରେ ୧୯୭୦ରେ ନିଜର ଡାକ୍ତରୀ ପ୍ରାକ୍ଟିସ୍ ଆରମ୍ଭ କରିଥିବା ଡାକ୍ତର ଜୟଚନ୍ଦ୍ରନ୍ ପ୍ରଥମେ ରୋଗୀ ସେବା ପାଇଁ କେବଳ ୨ଟଙ୍କା ନେଉଥିଲେ । ୬୮ ବର୍ଷୀୟ ଜୟଚନ୍ଦ୍ରନ ଚେନ୍ନାଇର ଭନାରପିଟ୍ଟାଇ ଅଂଚଳରେ ବାସ କରନ୍ତି । ତାଙ୍କର ରୋଗୀମାନଙ୍କ ମଧ୍ୟରେ ସବୁଠୁ ଅଧିକା ସଂଖ୍ୟାରେ ଅଳିଆ ଗୋଟାଳି ଓ ଦୈନିକ ମୂଲଲାଗି ପେଟ ପୋଷୁଥିବା ଲୋକମାନେ ଅଟନ୍ତି । ପଇସା ଅଭାବରେ କାହାର ଜୀବନ ଚାଲିନଯାଉ ଏହି ଲକ୍ଷ୍ୟ ନେଇ ଜୟଚନ୍ଦ୍ରନ୍ ପାଖପାଖି ୫୦ ବର୍ଷ ପୂର୍ବେ କମ୍ ପଇସାରେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲେ ।

ନିଜର ଏହି ମହାନ କାର୍ଯ୍ୟ ବିଷୟରେ ଦର୍ଶାଇବାକୁ ଯାଇ କହିଛନ୍ତି, ‘ ମୋର ପରିବାରରେ କେହି ଶିକ୍ଷିତ ବ୍ୟକ୍ତି ନଥିଲେ । ମୋ ବାପା-ମା କ୍ଷେତରେ ମୂଲିଆ କାମ କରୁଥିଲେ । ଏମିତି କି ଗାଁରେ କେହି ଏମିତି ନଥିଲେ ଯିଏ କି ନିଜର ପାଠ ପଢା ପୁରା କରିପାରିଥିଲେ । ମୁଁ ଏକମାତ୍ର ଥିଲି ଯିଏ ହାଇସ୍କୁଲ ପାସ୍ କରିଥିଲି । ମୁଁ ମୋର ଗାଁରେ ଦେଖିଥିଲି ଯେ, ଅନେକ ଲୋକ ଚିକିତ୍ସା ଅବହେଳାରୁ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହିସବୁକୁ ଦେଖି ମୁଁ ଡାକ୍ତର ହେବାକୁ ସ୍ଥିର କଲି । ମୁଁ ଡାକ୍ତର ହୋଇ ଅର୍ଥହୀନ ଲୋକଙ୍କର ଚିକିତ୍ସା କରିବାକୁ ଚାହୁଁଥିଲି । ’

ଜୟଚନ୍ଦ୍ରନ୍ ନିଜର ଜଣେ ସାଥୀ ଡାକ୍ତର କାଙ୍ଗୱେଲଙ୍କ ସହ ୧୯୭୧ରେ କ୍ଲିନିକ କରି ଚିକିତ୍ସା ଆରମ୍ଭ କଲେ । ଏହି ସମୟରେ କୌଣସି ରୋଗୀଙ୍କ ଠାରୁ ଅର୍ଥ ନେଉନଥିଲେ । କିନ୍ତୁ ତାଙ୍କର ଜଣେ ବନ୍ଧୁ ରୋଗୀଙ୍କ ଠାରୁ ୨ଟଙ୍କାର ଫିସ୍ ନେବାକୁ ଉପଦେଶ ଦେଇଥିଲେ । ଏହି ବନ୍ଧୁ ଜଣକ ଡାକ୍ତର ଜୟଚନ୍ଦ୍ରନଙ୍କୁ କ୍ଲିନିକ୍ ଖୋଲିବାରେ ସାହାଯ୍ୟ କରିଥିଲେ । ଏହି ବନ୍ଧୁଙ୍କର କହିବାର ଥିଲା କି ଯଦି ସେ ମାଗଣାରେ ଲୋକଙ୍କର ଚିକିତ୍ସା କରିବେ ତ କେହି ଏହାତ ମହତ୍ୱ ବୁଝିବେ ନାହିଁ । ଏତିପାଇଁ ସେ ନିଜର ରୋଗୀଙ୍କ ଠାରୁ ନାମକୁ ମାତ୍ର ପଇସା ନେଉଥିଲେ । ସେ କହୁଥିଲେ , ‘ ମୋର ଏକ ସିଦ୍ଧାନ୍ତ ସର୍ବଦା ଥିଲା ଯେ, ଚିକତ୍ସା ପାଇଁ କାହାରିକୁ ଅର୍ଥ ଦେବାକୁ ବାଧ୍ୟ କରିବି ନାହିଁ । ରୋଗୀ ଯାହା ନିଜ ଇଚ୍ଛାରେ ଦେବେ ତାହା ରଖିବି ।’

ଯଦି କେହି ରୋଗୀ ପଇସା ଦେବାରେ ଅସମର୍ଥ ଥା’ନ୍ତି ତ ସେ ତାଙ୍କ ଠାରୁ ପଇସା ନେଇନଥାନ୍ତି । ଗରୀବଙ୍କର ଭଲ ଚିକିତ୍ସା କରିବା ଦ୍ୱାରା ତାଙ୍କୁ ଅନେକ ଲୋକ ଚିହ୍ନିଲେ । ଏବଂ ଯାହାଙ୍କ ପାଖରେ ପଇସା ମଧ୍ୟ ଥିଲା ସେମାନେ ଚିକିତ୍ସା ପାଇଁ ଜୟଚନ୍ଦ୍ରନଙ୍କ ପାଖକୁ ଆସିବାକୁ ଲାଗିଲେ । ସେ ଧିରେ ଧିରେ ସେହି ଅଂଚଳରେ ଜଣେ ଭଲ ଡାକ୍ତର ଭାବେ ଜଣାଶୁଣା ହୋଇଗଲେ । ପଇସାବାଲା ଲୋକେ ତାଙ୍କୁ ଚିକିତ୍ସା ପାଇଁ ଅଧିକ ଅର୍ଥ ଦେଉଥିଲେ । କିନ୍ତୁ ସେ ମନାକରୁଥିଲେ । କହୁଥିଲେ , ପଇସା ଦେବା ବଦଳରେ କିଛି ଔଷଧ କିଣିକି ଦେବାକୁ କହୁଥିଲେ । ଏହି ଔଷଧକୁ ସେ ଗରୀବଙ୍କର ଚିକିତ୍ସାରେ ବ୍ୟବହାର କରୁଥିଲେ । ଗତ ୫ ଦଶକରେ ଜୟଚନ୍ଦ୍ରନ୍ ଗୋଟିଏ ପରିବାରର ୫ ପୀଢିର ଚିକିତ୍ସା କରିଛନ୍ତି ।

ଜୟଚନ୍ଦ୍ରନଙ୍କୁ ନିଜର ଏହି ପେଶାକୁ ନେଇ ଖୁବ୍ ଖୁସି ଓ ଗର୍ବ ଅନୁଭବ କରନ୍ତି । ସେ କୁହନ୍ତି ଏହି ପେଶାରେ ଜଣେ ଖୁବ୍ ଭଲ ଭାବରେ ମାନବ ସେବା କରିପାରିବ । ସେ କୁହନ୍ତି, ସେ ଯାହା କିଛି ବି ପଢିଛନ୍ତି ଏହାର ପଇସା କମେଇବା ପାଇଁ ନୁହେଁ । ସେ କୌଣସି ରୋଗୀଙ୍କର ଜାତିକୁ ନେଇ ଭେଦଭାବ ଦେଖନ୍ତି ନାହିଁ । ଜୟଚନ୍ଦ୍ରନଙ୍କ ନଜରରେ ସବୁ ରୋଗୀ ସମାନ । ସେ କୁହନ୍ତି ଜଣଙ୍କର ଜୀବନ ବଂଚାଇଲେ ଯେଉଁ ଖୁସି ମିଳେ ଏହା କୌଣସି ମୂୂଲ୍ୟବାନ ଜିନିଷ ସହ ତୁଳନୀୟ ନୁହେଁ ।

ଗୋଟେ ସମୟରେ ଗରିବୀ ଜୀବନ ବିତାଉଥିବା ଜୟଚନ୍ଦ୍ରନଙ୍କ ପରିବାର ଏବେ ଖୁବ୍ ସମୃଦ୍ଧ ହୋଇସାରିଛନ୍ତି । ତାଙ୍କର ପତ୍ନୀ ଓ ତିନି ଜଣ ପିଲା ମଧ୍ୟ ଏହି ଡାକ୍ତରୀ ପେଶାରେ । ବୋଧେ ଏଥିପାଇଁ ତାଙ୍କର ଅର୍ଥର ଅଭାବ ହୋଇନାହିଁ । ତାଙ୍କର ପତ୍ନୀ ନିଜର ଆୟରେ ଘର ଚଳାନ୍ତି । ଏବଂ ଜୟଚନ୍ଦ୍ରନ ନିଜର ଦକ୍ଷତାକୁ ଗରିବଙ୍କ ସେବାରେ ଲଗାଇଦେଇଥାନ୍ତି । ଏହାସହ ସେ ନିଜ ଅଂଚଳର ପାଖାପାଖି ସ୍ଥାନକୁ ଯାଇ ମେଡିକଲ୍ କ୍ୟାମ୍ପ ଲଗାଇଥାନ୍ତି । ଏବେ ସୁଦ୍ଧା ୩ହଜାରରୁ ଅଧିକ କ୍ୟାମ୍ପ ଲଗାଇସାରିଲେଣି । ଏହି ଉତ୍ତମ କାର୍ଯ୍ୟ ପାଇଁ ତାଙ୍କୁ ବହୁତ ପୁରସ୍କାରରେ ସମ୍ମାନିତ କରାଯାଇଛି । ଜୀବନର ଶେଷ ଯାଏ ଅନ୍ୟର ଭଲ ଚିନ୍ତା କରୁଥିବା ଜୟଚନ୍ଦ୍ରନ ଏହି ଡାକ୍ତରୀ ପେଶାରେ ନିଜ ଜୀବନକୁ ସାର୍ଥକ କରିପାରିଛନ୍ତି । ଆଉ ତାଙ୍କର ଏହି ପେଶା ପାଲଟିଯାଇଛି ନିଜ ଜୀବନର ଏକ ବଡ ନିଶା । ଯାହାର ଫଳ ସ୍ୱରୁପ ସେ ଆଜି ଗରିବଙ୍କର ପାଲଟିଛନ୍ତି ସାକ୍ଷାତ୍ ଈଶ୍ୱର ।

( ସୌଜନ୍ୟ- ଇୟୋର ଷ୍ଟୋରୀ)