ସ୍ୱାମୀକୁ ୩ ଓଳିି ମ୍ୟାଗି ଖୁଆଉଥିଲେ ସ୍ତ୍ରୀ । ବିରକ୍ତ ହୋଇ ଛାଡପତ୍ର ଦେଲେ ସ୍ୱାମୀ

587

କନକ ବ୍ୟୁରୋ: ମ୍ୟାଗି ଖାଇବାକୁ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ମ୍ୟାଗି ଖାଇବାକୁ ନେଇ ଛାଡପତ୍ର ଦିଆନିଆ କଥା କେବେ ଶୁଣିଛନ୍ତି? କିନ୍ତୁ ଏପରି ଘଟିଛି କର୍ଣ୍ଣାଟକ ମୈସୁର ସହରରେ । ଏଠି ମ୍ୟାଗୀକୁ କେନ୍ଦ୍ର କରି ପତ୍ନୀକୁ ଛାଡପତ୍ର ଦେଇଛନ୍ତି ସ୍ୱାମୀ ।

କଥା ହେଉଛି ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ସବୁଥିରେ କେବଳ ମ୍ୟାଗି ହିଁ ଖାଇବାକୁ ଦେଉଥିଲେ ସ୍ତ୍ରୀ । ଏଥିରେ ବିରକ୍ତ ହୋଇଯାଇଥିଲେ ସ୍ୱାମୀ । ଶେଷରେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଲେ । ଛାଡପତ୍ର ଆବେଦନରେ ବ୍ୟକ୍ତି ଜଣକ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କୁ ରୋଷଇ କରି ଆସେନାହିଁ କି ସେ ରୋଷେଇ ଶିଖିବାକୁ ମଧ୍ୟ ଆଗ୍ରହୀ ନୁହଁନ୍ତି । ଗ୍ରୋସରୀ ସପକୁ ଗଲେ ମ୍ୟାଗି ଛଡା ଆଉ କିଛି କିଣନ୍ତି ନାହିଁ । ଘରେ କେବେ କିଛି ରାନ୍ଧନ୍ତି ନାହିଁ । ଅଫିସ୍ ଯିବା ବାହାନା ଓ ଥକି ପଡିଥିବା ବାହାନା କରି ସବୁବେଳେ ତାଙ୍କ ଆଗରେ ମ୍ୟାଗି ପ୍ଲେଟ୍ ଥୋଇଦିଅନ୍ତି । ଏହା ତାଙ୍କ ପାଇଁ ଏକ ମାନସିକ ଯନ୍ତ୍ରଣା ବ୍ୟତୀତ ଆଉ କିଛି ନୁହେଁ ବୋଲି ଛାଡପତ୍ର ଆବେଦନରେ ଉଲ୍ଲେଖ କରିଛନ୍ତି ।

ଆଦାଲତରେ ଅନେକ ଛାଡପତ୍ର ମାମଲା ପଡିଥିଲେ ବି ଏହା ସବୁଠୁ ରୋଚକ ଛାଡପତ୍ର ଆବେଦନ ଥିଲା ବୋଲି ଜଜ୍ କହିଛନ୍ତି । ଏହାକୁ ‘ମ୍ୟାଗି ଡିଭୋସ’ର୍ ବୋଲି କୋର୍ଟ ନାମିତ କରିଛନ୍ତି । ଏହାସହ ଏଥିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ସହମତି ଥିବାରୁ ଛାଡପତ୍ରକୁ ସ୍ୱୀକାର କରିଛନ୍ତି କୋର୍ଟ । ଏନେଇ ଗତ ଶୁକ୍ରବାର ମ୍ୟାଟ୍ରିମୋନିଆଲ ମାମଲାରେ ଥିବା ଶୁଣାଣୀ ବେଳେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ମୈସୁର ସେସନ୍ସ କୋର୍ଟର ବିଚାରପତି ଏମ ଏଲ ରଘୁନାଥ କହିଛନ୍ତି ଯେ, ଛାଡପତ୍ର ଆବେଦନ କରିଥିବା ବ୍ୟକ୍ତିଙ୍କ ପତ୍ନୀ ସକାଳ ଜଳଖିଆଠାରୁ ଆରମ୍ଭ କରି ରାତି ଖାଇବାରେ ମଧ୍ୟ କେବଳ ଆଉ କେବଳ ମ୍ୟାଗି ହିଁ ବନାଉଥିଲେ । କାରଣ ମ୍ୟାଗି ବ୍ୟତୀତ ତାଙ୍କୁ ଆଉ କିଛି ପ୍ରସ୍ତୁତ କରିଆସୁନଥିଲା । ଏନେଇ ତାଙ୍କ ଘର ଲୋକ ଅନେକ ଥର ବୁଝାଇଥିଲେ ବି ତାଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ସେ ଅନ୍ୟ କିଛି ରୋଷଇ ଶିଖିବାକୁ ମଧ୍ୟ ଚେଷ୍ଟା କରୁନଥିଲେ । ବରଂ ସେ ଚାକିରି କରିଛନ୍ତି ଆଉ ବେଶି କିଛି କରିପାରିବେ ନାହିଁ ବୋଲି ଯୁକ୍ତି ବାଢୁଥିଲେ । ସେଥିପାଇଁ ଦୁହିଁଙ୍କ ଘର ଲୋକଙ୍କ ସହ ଆଲୋଚନା ପରେ ଦୁହିଁଙ୍କ ସହମତି କ୍ରମେ କୋର୍ଟ ଏହି ଛାଡପତ୍ର ଆବେଦନକୁ ମଂଜୁରୀ ଦେଇଛନ୍ତି ।

ମାମଲାର ବିଚାର ସମୟରେ ବାସ୍ତବ ଚିତ୍ର ଉପରେ ଆଲୋକପାତ କରିଥିଲେ ବିଚାରପତି ଏମ ଏଲ ରଘୁନାଥ । କହିଥିଲେ, ଆଜିକାଲି ଦାମ୍ପତ୍ୟ ଜୀବନ କ୍ଷଣସ୍ଥାୟୀ ହୋଇପଡିଛି । କର୍ଣ୍ଣାଟକ ସେସନ୍ସ କୋର୍ଟରେ ପାଖାପାଖି ୯୦୦ ଛାଡପତ୍ର ମାମଲା ରହିଛି । ଏଥିମଧ୍ୟରୁ ଛୋଟ ଛୋଟ କଥାକୁ ନେଇ ଛାଡପତ୍ର ଆବେଦନ କରୁଛନ୍ତି ସ୍ୱାମୀ ସ୍ତ୍ରୀ । କେତେବେଳେ ରୁଟି କରିଆସୁନି ବୋଲି ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଉଛି ତ ଆଉ କେତେବେଳେ ବିଭାଘରର ଫଟୋ ସୁଟକୁ ନେଇ ସ୍ତ୍ରୀ କରୁଛି ଛାଡପତ୍ର ଆବେଦନ । ଏସବୁକୁ ଶୁଣି ଲାଗୁଛି ଯେପରି ବିଦେଶରେ କଣ୍ଟ୍ରାକ୍ଟ ମ୍ୟାରେଜକୁ ବଳି ପଡୁଛି ଭାରତୀୟ ବୈବାହିକ ସମ୍ପର୍କ ।