ଦିବ୍ୟାଙ୍ଗ ହୋଇ ବି ହାରିନାହାଁନ୍ତି ସତ୍ୟଭାମା । ଟେଲରିଂ, ଧୂପକାଠି, ବଡ଼ି, ପାମ୍ପଡ଼ ତିଆରି କରି କରୁଛନ୍ତି ରୋଜଗାର

123

କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ହାର ମାନିନାହାଁନ୍ତି ହାଟଡ଼ିହି ଅଞ୍ଚଳର ସତ୍ୟଭାମା ସାହୁ । ଦୃଢ ଇଛାଶକ୍ତି ଯୋଗୁଁ ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି । ପିଲା ବେଳୁ ବାପା ମା’ଙ୍କୁ ହରାଇଥିବା ବେଳେ ପୋଲିଓରେ ନିଜର ଦୁଇ ଗୋଡ଼ ଅକାମି ହୋଇଯାଇଛି । ତଥାପି ସେ ହାର ମାନିନାହାଁନ୍ତି । ୩୦ରୁ ଉର୍ଦ୍ଧ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇ ଅନ୍ୟମାନଙ୍କ ପାଇଁ ପାଟିଛନ୍ତି ପ୍ରେରଣା ।

ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଜୀବନ ଯୁଦ୍ଧରେ ହାରିନାହାନ୍ତି କେନ୍ଦୁଝର ହାଟଡ଼ିହି ଯଶୋବନ୍ତପୁରର ସତ୍ୟଭାମା ସାହୁ । ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ପୋଲିଓରେ ଆକ୍ରାନ୍ତ ହୋଇ ଦୁଇଟି ଗୋଡ଼ ଅକାମି ହୋଇଯିବା ପରେ ବାଟ ଚାଲିବାରୁ ସିନା ବଞ୍ଚିତ ହୋଇଛନ୍ତି । କିନ୍ତୁ ତାଙ୍କ ଚେଷ୍ଟା ବଳରେ ସେ ୩୦ରୁ ଉର୍ଦ୍ଧ ମହିଳାଙ୍କୁ ଆତ୍ମନିର୍ଭର ହେବାର କଳା ଶିଖାଇଛନ୍ତି । ଗାଁରେ ଥିବା ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଶ୍ରମରେ ରହି ଟେଲରିଂ, ଧୂପକାଠି, ବଡ଼ି, ପାମ୍ପଡ଼, ହଳଦିଗୁଣ୍ଡ, ପେପର ମ୍ୟାଚିଂ ପରି ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି ।

ପିଲାବେଳୁ ବାପା ମା’ଙ୍କୁ ହରାଇବା ପରେ ପରିବାରର ଅନ୍ୟମାନଙ୍କ ପାଖରେ ରହି ସେ ବଡ଼ ହୋଇଛନ୍ତି । ନିଜର ଶାରୀରିକ ଅକ୍ଷମତା ପାଇଁ ସ୍କୁଲ ଯାଇନଥିଲେ ମଧ୍ୟ ସେ ପତ୍ର ବିନିମୟ ପାଠ୍ୟକ୍ରମ ଯୋଗେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ପ୍ରଥମେ ଛୋଟ ଛୋଟ ପିଲାଙ୍କୁ ଚାଟଶାଳୀ କରି ଶିକ୍ଷାଦାନ କରୁଥିଲେ । ଏହାପରେ ଶ୍ରୀମା ଅରବିନ୍ଦ ଆଶ୍ରମରେ ପ୍ରାୟ ୪୦ ବର୍ଷ ହେଲା ରହିଆସୁଛନ୍ତି । ଆଶ୍ରମ ଭିତରେ ଏକ କୁଟୀର ଶିଳ୍ପ ଖୋଲି ଆଖପାଖ ଗାଁର ୩୦ରୁ ଉର୍ଦ୍ଧ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ଓରମାସ ସହଯୋଗରେ ରାଜ୍ୟର ବିିଭିନ୍ନ ସ୍ଥାନକୁ ଯାଇ ନିଜର ପ୍ରସ୍ତୁତ ସାମଗ୍ରୀ ବିକ୍ରୟ କରନ୍ତି । ତାଙ୍କ ହାତ ତିଆରି ଧୂପ ଏବେ ସାରା ରାଜ୍ୟରେ ଆଦୃତ ଲାଭ କରିଛି ।

ଦିବ୍ୟାଙ୍ଗ ହୋଇଥିଲେ ବି ନିଜର କାମ ପାଇଁ ସେ ଅନ୍ୟ ଉପରେ ନିର୍ଭର କରନ୍ତି ନାହିଁ । ଏବେ ସତ୍ୟଭାମାଙ୍କୁ ୭୬ ବର୍ଷ ହେଲାଣି ତଥାପି ସେ ଥକିନାହାନ୍ତି । ଆଶ୍ରମ ପରିସରରେ ଏକ ସୁନ୍ଦର ବଗିଚା ମଧ୍ୟ ସେ ତିଆରି କରିଛନ୍ତି । ଏହି ବଗିଚାରେ ରହିଛି ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଗଛ । ସତ୍ୟଭାମାଙ୍କ ଦୃଢ ମନୋବଳ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସରକାରୀ ସହାୟତା ମିଳିଲେ କୁଟୀର ଶିଳ୍ପକୁ ଆଗକୁ ନେଇପାରନ୍ତେ ବୋଲି କହିଛନ୍ତି ସତ୍ୟଭାମା ।