ରାଉରକେଲାରେ ଡରାଇଲାଣି ହଇଜା । ୯ ଜଣଙ୍କ ମୃତ୍ୟୁ ଅଭିଯୋଗ, ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ସ୍ୱାସ୍ଥ୍ୟ ସଚିବ ।

142

କନକ ବ୍ୟୁରୋ : ରାଉରକେଲାକୁ ଘାରିଛି ହଇଜା ଡର । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାର ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଉରକେଲାରେ ବ୍ୟାପିଥିବା ଝାଡାବାନ୍ତିର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବେ । ଗତକାଲି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ରାଉରକେଲା ସିଡିଏମଓ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ନମୁନା ଯାଞ୍ଚ ପରେ କିଛି ନମୁନାରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ସୂଚନା ମିଳିଛି । ତେଣୁ ପାଣିର ଯାଞ୍ଚ ଉପରେ ଗୁରୁତ୍ୱ ଦେଇଛି ମହାନଗର ନିଗମ । ଯେଉଁ ସ୍ଥାନରେ ପାଣି ପାଇପ୍ ଫାଟିଥିଲା, ସେଠାରେ ମରାମତି କରାଯାଉଛି । ଏନେଇ ୱାଟକୋ କର୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୩୫ଟି ଲିକେଜକୁ ମରାମତି କରାଯାଇଛି । ଆଉ ୧୧ଟି ଲିକେଜର ମରାମତି ପ୍ରକ୍ରିୟା ଚାଲିଛି । ଯେଉଁଠି ଲୋକଙ୍କ ଅଭିଯୋଗ ଆସିବ, ସେଠାରେ ତୁରନ୍ତ ପାଇପ୍ ମରାମତି କରାଯିବ ବୋଲି ମହାନଗର ନିଗମ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି ।