ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କଲା ପୋଲିସ । ଶିଶୁ ଅପହୃତ ପଛରେ ଥିଲା ବାପାଙ୍କ ହାତ, ଅପହରଣର ପୁରା କାହାଣୀ କହିଲେ ଭୁବନେଶ୍ୱର ଡିସିପି । 

418

କନକ ବ୍ୟୁରୋ :  ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ତେବେ ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶିଶୁ ଅପହୃତ ଖବର ପାଇବା କ୍ଷଣି ତୁରନ୍ତ ନିକଟସ୍ଥ ସମସ୍ତ ଥାନାକୁ ସୂଚନା ଦିଆଯାଇଥିଲା । ଏପରିକି ଶିଶୁକୁ ଉଦ୍ଧାର କରିବାକୁ ପ୍ରତି ଗାଡିକୁ ଯାଞ୍ଚ କରାଯାଇଥିଲା । ତେବେ ଶିଶୁର ବାପାଙ୍କୁ ଅପହୃତ ବାବଦରେ ପଚରାଉଚରା ବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ କଥାରେ ତାଳମେଳ ନଥିବାରୁ ସନ୍ଦେହ ଆହୁରି ବଢିଥିଲା । ପରେ ଶିଶୁଟିକୁ ଅପହୃତ କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ବାପା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।