ଆଜି ଧନତେରସ : ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା, ଏଥର ପାଗ ଉପରେ ଭରସା . .ଭଲ ବ୍ୟବସାୟ ଆଶାରେ ବ୍ୟବସାୟୀ

1,275

କନକ ବ୍ୟୁରୋ : ଆଜି ଧନତେରସ । ଆଗକୁ ବାହାଘର ସିଜିନ ଥିବା ବେଳେ ଏବେ ବଜାରରେ ସୁନା ଦର ବି ଖସିଛି । ଏଭଳି ସମୟରେ ଚଳିତବର୍ଷ ଧନତେରସ ପାଇଁ ଗ୍ରାହକ ବେଶ୍ ଉତ୍ସାହିତ ଅଛନ୍ତି । ପରମ୍ପରା ଅନୁସାରେ ଲୋକଙ୍କ ବିଶ୍ୱାସ ରହିଛି ଧନତେରସରେ ଘରକୁ ସୁନା ଗହଣା କିଣି ନେଲେ ଲକ୍ଷ୍ମୀ ଆସିଥାନ୍ତି । ଏହି ବିଶ୍ୱାସକୁ ନେଇ ସାଧାରଣତଃ ଧନତେରସରେ ବଜାରରେ ଅଧିକ ସୁନା ଗହଣା କାରବାର ହୋଇଥାଏ । ସେଥିପାଇଁ ଚଳିତ ବର୍ଷ ସୋ ରୁମ୍ ଗୁଡିକ ପ୍ରାୟ ୧୨ କ୍ୱିଣ୍ଟାଲ ସୁନା ଆଣିଥିବା ସୂଚନା ମିଳିଛି ।

ପାରମ୍ପରିକ ଅଳଙ୍କାର ସହିତ ନୂଆ ନୂଆ ଡିଜାଇନ୍ ଓ ଟ୍ରେଣ୍ଡର ଅଳଙ୍କାର ବି ଆସିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୦ରୁ ୨୫ ପ୍ରତିଶତ ଅଧିକ ବ୍ୟବସାୟ କରିବା ଆଶାରେ ରହିଛନ୍ତି ଗହଣା ବ୍ୟବସାୟୀ । ହେଲେ ଏଥିରେ ପାଗ ହୋଇଛି ବାଧକ । ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ବର୍ଷା । ଫଳରେ ବଜାରକୁ ଧନତେରସ ଆଗରୁ ଆସି ଲୋକେ ନିଜ ପସନ୍ଦର ଅଳଙ୍କାର ପସନ୍ଦ କରିବାର ସୁଯୋଗ ବି ପାଇନାହାନ୍ତି । କହିବାକୁ ଗଲେ ଜୁଏଲାରୀ ସପ୍ ଗୁଡିକରେ ଗହଳି ବି ନାହିଁ ।

ତେବେ ଆଜି ଧନତେରସ ହୋଇଥିବାରୁ ଲୋକେ ବର୍ଷା ସତ୍ୱେ ଜୁଏଲାରୀ ଦୋକାନକୁ ଆସି ଗହଣା କିଣିବାକୁ ଆଗ୍ରହ ଦେଖାଇବେ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଏବେ ଭୁବନେଶ୍ୱରେ ସୁନା ଦର ୧୦ ଗ୍ରାମ ପିଛା ୩୭ ହଜାର ୬୦୦ ଟଙ୍କା ଓ ରୂପା କିଲୋ ପିଛା ଦର ୪୬ ହଜାର ୯୦୦ ଟଙ୍କା ରହିଛି । ତେବେ ଧନତେରସକୁ ନଜରରେ ବିଭିନ୍ନ ଜୁଏଲାରୀ ଦୋକାନ ଗ୍ରହକଙ୍କୁ ଆକର୍ଷିତ କରିବାକୁ ସୁନା, ରୂପା , ହୀରା ଗହଣା ଉପରେ ଆକର୍ଷଣୀୟ ଅଫର ବି ରଖିଛନ୍ତି ।