ଅବ୍ୟବସ୍ଥା ଘେରରେ ଦେବଗଡ ହୋମିଓପାଥୀ ଡାକ୍ତରଖାନା: ନାହାନ୍ତି ଡାକ୍ତର, ମେଡିକାଲରେ ଗଡୁଛି ଏକ୍ସପାଏରୀ ଔଷଧ

87

କନକ ବ୍ୟୁରୋ: ଦେବଗଡ ଜିଲ୍ଲା ମାନ୍ୟତା ପାଇବାର ବହୁ ପୂର୍ବରୁ ଦେବଗଡରେ ପ୍ରତିଷ୍ଠା ହୋଇଥିଲା ହୋମିଓ ପ୍ୟାଥତ୍କ ଚିକିତ୍ସାଳୟ । ହେଲେ ଜିଲ୍ଲା ଗଠନର ୨୯ ବର୍ଷ ପରେ ବି ସଠିକ୍ ଢଙ୍ଗରେ ପରିଚାଳିତ ହୋଇପାରିନାହିଁ । ତେଣୁ ହୋମିଓପ୍ୟାଥି ଔଷଧ ଉପରେ ଭରସା କରୁଥିବା ରୋଗୀହ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

୧୯୭୧ରୁ ଦେବଗଡ ପୈାରାଂଚଳରେ ଏକ ଅସ୍ଥାୟୀ କୋଠାରେ ଆରମ୍ଭ ହୋଇଥିଲା ଦେବଗଡ ହୋମିଓପ୍ୟାଥି ଚିକିତ୍ସାଳୟ । ପରେ ୨୦୧୦ରେ ଏକ ନମ୍ବର ୱାର୍ଡରେ ଡାକ୍ତରଖାନା ପାଇଁ ସ୍ଥାୟୀ କୋଠା ତିଆରି ହେଲା । ଅତିରିକ୍ତ ଜିଲ୍ଲାପାଳଙ୍କ ସରକାରୀ ବାସଭବନ କଡରେ କୋଠା ନିର୍ମାଣ ପରେ ଜିଲ୍ଲାବାସୀ ଉତମ ହୋମିଓପ୍ୟାଥି ଚିକିତ୍ସା ସେବା ପାଇବେ ବୋଲି ଆଶା ରଖିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ, ଚିକିତ୍ସାଳୟ ନିୟମିତ ଖୋଲୁ ନାହିଁ କି ଏଠାରେ ଡାକ୍ତର ନିଯୁକ୍ତ ହୋଇନାହିଁ, ତେଣୁ ରୋଗୀ ସେବା ପାଉନଥିବା ଅଭିଯୋଗ କରିଛନ୍ତି

ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ଏବଂ ଡିସପେନସରି ନିର୍ମାଣ କରାଯାଇଛି । ହେଲେ ଡାକ୍ତର ନଥିବାରୁ ଡାକ୍ତରଖାନାରେ ତାଲା ଝୁଲୁଛି । ସରକାରଙ୍କ ପକ୍ଷରୁ ଯୋଗଇ ଦିଆଯାଇଥିବା ଔଷଧ ଏକ୍ସପାୟର ହୋଇସାରିଛି । ଏବେ ଡାକ୍ତରଖାନାରେ ଏକ୍ସପାୟରୀ ଔଷଧ ବୋତଲ ଗଡୁଥିବା ବେଳେ ଡାକ୍ତରଙ୍କ ଚେୟାର ଖାଲି ପଡିଛି, ତେଣୁ ରୋଗୀଙ୍କୁ ଫେରି ଯିବାକୁ ପଡୁଛି । ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଜଣେ ଅସ୍ଥାୟୀ ସହାୟକ ଏବଂ ଜଣେ ଅସ୍ଥାୟୀ ଜୁଗୁଆଳୀ ନିଯୁକ୍ତି ଦିଆଯାଇଛି ।

ଦେବଗଡ ଜିଲ୍ଲା ସରକାରୀ ହୋମିଓପ୍ୟାଥି ଡାକ୍ତରଖାନା ଦାଇତ୍ୱରେ ଅଛନ୍ତି ସମ୍ବଲପୁର ହୋମିଓପ୍ୟାଥି ମେଡିକାଲ ଅଫିସର ତୀର୍ଥ ବାରା । ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ଦେବଗଡ ଡାକ୍ତରଖାନାର ଅବ୍ୟବସ୍ଥା ସଂପର୍କରେ ସେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେ ମଧ୍ୟ ଅଭିଯୋଗ କରିଛନ୍ତି ।