କରୋନା କଟକଣା ଛଡ଼ାଇ ନେଲା ଜୀବିକା, କେମିତି ଚଳିବ ପରିବାର? ଭୁବନେଶ୍ୱର ଲୋୟର ପିଏମଜିରେ ପାର୍ଲର, ଜିମ୍, ଟେଣ୍ଟହାଉସ୍ ଓ କ୍ୟାଟେରିଂ ବ୍ୟବସାୟୀଙ୍କ ଧାରଣା ।

119

କନକ ବ୍ୟୁରୋ : କରୋନା ପାଇଁ ଲଗାତାର ମାସ ମାସ ଧରି ଲକଡାଉନ-ସଟଡାଉନ ଓ ବିଭିନ୍ନ କଟକଣା ଜାରି କରାଯାଉଛି । କିନ୍ତୁ ଏହାର ପ୍ରଭାବ କାହା ଉପରେ ଓ କେମିତି ପଡୁଛି ତାର ହିସାବ କାହା ପାଖରେ ନାହିଁ । ଆଜି ଭୁବନେଶ୍ୱରରେ ଲୋକଙ୍କ ଅସନ୍ତୋଷର ଏକ ପ୍ରତିଫଳନ ଦେଖିବାକୁ ମିଳିଛି । ରାସ୍ତା ଉପରକୁ ଆସିଯାଇଛନ୍ତି ଟେଣ୍ଟହାଉସ ବ୍ୟବସାୟୀ, କ୍ୟାଟରିଂ ବ୍ୟବସାୟୀ, ସାଉଣ୍ଡ ଓ ସଂପୃକ୍ତ ବ୍ୟବସାୟ କରୁଥିବା ବ୍ୟକ୍ତି । ଏପଟେ ଯାତ୍ରା କଳାକାର, ଜିମ୍ ଓ ପାର୍ଲର ବ୍ୟବସାୟୀ ବି ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟିଏ ପଟେ ଟେଣ୍ଟହାଉସ ଓ କ୍ୟାଟରିଂ ବ୍ୟବସାୟୀ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ସାମିଲ କରିବାକୁ ଅନୁମତି ଦେବା ପାଇଁ ଦାବି କରିଥିବାବେଳେ ଯାତ୍ରା କଳାକାର, ଜିମ ଓ ପାର୍ଲର ବ୍ୟବସାୟୀ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି ।

ବାରମ୍ବାର ଲକଡାଉନ – ସଟଡାଉନ, ଲୋକଙ୍କ ଅବସ୍ଥା ନବୁଝି ସରକାରଙ୍କ ତରଫରୁ କଡା କଟକଣା, ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିରେ ପ୍ରବଳ ସମସ୍ୟା ପରେ ଏ ହେଉଛି ତାର ପ୍ରତିଫଳନ । କାରଣ ଏମାନଙ୍କ ଅବସ୍ଥା କେହି ବୁଝୁ ନାହାଁନ୍ତି । କେମିତି ଟଙ୍କା ଆସିବ, କେମିତି ପରିବାର ଚଳିବ, କେମିତି ବ୍ୟବସାୟ ବଞ୍ଚିବ ଏଥିପ୍ରତି କାହାର ନଜର ନାହିଁ । ଯିଏ କଟକଣା ଲଗାନ୍ତି, ସିଏ ପ୍ରତିପୋଷଣ କଥା ବି ବୁଝନ୍ତି । କିନ୍ତୁ ଆମର ଏଠି କେବଳ ବନ୍ଦ କରିଦେଇ ସରକାର ଚୁପ୍ ବସି ଯାଆନ୍ତି । ଆଉ ଏହା ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି କଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି ।

ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଏମିତି ଧାରଣା ଦେଇଛନ୍ତି, ଟେଣ୍ଟ କ୍ୟାଟରିଙ୍ଗ , ସାଉଣ୍ଡ ଓ ଡିଜେ ଚଳାଉଥିବା ବ୍ୟବସାୟୀ । ବିବାହ ଭୋଜି, ଶୁଦ୍ଧି କ୍ରିୟା, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥିବାରୁ ଏମାନଙ୍କ ଅବସ୍ଥା ଅତି ଖରାପ ହୋଇଯାଇଛି । ଆଉ ବଡ ପ୍ରଶ୍ନ ହେଉଛି, ଏମାନଙ୍କ କଥା କିଏ ଶୁଣିବ ।

ସେପଟେ ନବନିର୍ମାଣ କୃଷକ ସଂଗଠନ ସହ ମିଶି ପାର୍ଲର ବ୍ୟବସାୟୀ, ଯାତ୍ରା କଳାକାର , ଜିମ୍ ବ୍ୟବସାୟୀ, ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କର କହିବା କଥା ହେଉଛି, ଅତ୍ୟଧିକ କଟକଣା ସେମାନଙ୍କର ଜୀବିକା ଉଜାଡି ଦେଇଛି । ତେଣୁ ସରକାର ଏକ ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଦାବି କରୁଛନ୍ତି । ସରକାର କହୁଛନ୍ତି, ତୃତୀୟ ଲହରକୁ ଆଖି ଆଗରେ ରଖି ଏଭଳି କଟକଣା ଜାରି ରହିଛି । କିନ୍ତୁ ତୃତୀୟ ଲହର କେବେ ଆସିବ, ଆସିବ କି ନାହିଁ, ସେଭଳି କିଛି ନିଶ୍ଚିତତା ନଥିବାବେଳେ ଏଭଳି ଅନିର୍ଦ୍ଧିଷ୍ଟ କାଳ ପାଇଁ କଟକଣା କଣ ଜାରି ରହିବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଜୀବନ ଓ ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ସରକାର ଏହା ବୁଝିବା ନିହାତି ଆବଶ୍ୟକ ନଚେତ୍ ଆଗକୁ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକି ପାରେ ବୋଲି ସେମାନେ ଧମକ ଦେଇଛନ୍ତି ।