ଦିଲ୍ଲୀରୁ ଗୋଟିଏ ଦିନରେ ଚିହ୍ନଟ ହେଲେ ୪ ହଜାରରୁ ଅଧିକ ପଜିଟିଭ୍ । ୭ ମାସର ରେକର୍ଡ ଭାଙ୍ଗିଲା ଦିଲ୍ଲୀର କୋଭିଡ୍ ରିପୋର୍ଟ ।

73

କନକ ବ୍ୟୁରୋ: ଗୋଟିଏ ଦିନରେ ଦିଲ୍ଲୀରୁ ଚିହ୍ନଟ ହେଲେ ୪ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି । କାହିଁକି ନା ଦୀର୍ଘ ୭ ମାସ ପରେ ଦେଶର ରାଜଧାନୀରୁ ଏତେ ସଂଖ୍ୟକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ମିଳିଥିବା ରିପୋର୍ଟ ମୁତାବକ, ଦିଲ୍ଲୀରୁ ଗତ ୨୪ ଘଣ୍ଟା ଭିତରେ ୪୦୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ ପଜିଟିଭିଟି ରେଟ୍ ୬.୪୬ ପ୍ରତିଶତ ରହିଛି ।

ନୂଆଦିଲ୍ଲୀରେ ମେ ୧୮ ତାରିଖରେ ୪୪୮୨ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ କେବେ ବି ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ହେଲେ ଆଜି ଚିହ୍ନଟ ହୋଇଥିବା କୋଭିଡ୍ ରିପୋର୍ଟ ଗତ ୭ ମାସର ରେକର୍ଡକୁ ଭାଙ୍ଗିଦେଇଛି । ତେବେ ଓମିକ୍ରନ୍ ପ୍ରଭାବରୁ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ବଢୁଥିବା ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।  ତେବେ ନୂଆଦିଲ୍ଲୀରୁ ଏତେସଂଖ୍ୟକ ପଜିଟିଭ୍ ସାମ୍ନାକୁ ଆସିବା ପରେ ସେଠାରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୦ ହଜାର ଟପିଛି । ଏବେ ସେଠାରେ ୧୦,୯୮୬ କୋଭିଡ୍ ସଂକ୍ରମିତ ସକ୍ରିୟ ଅଛନ୍ତି । ଏହା ପୂର୍ବରୁ ମେ ୩୧ ତାରିଖରେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୦୪୦ ଥିଲା ।

ଅନ୍ୟପଟେ ତାଜା ସୂଚନା ମୁତାବକ, ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ଜଣେ କୋଭିଡ୍ ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସେଠାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୨୫,୧୧୦କୁ ବୃଦ୍ଧି ପାଇଛି । ସେହିପରି ସେଠାରେ ଏବେ ୬୨୮୮ ଜଣ ରୋଗୀ ଆଇସୋଲେସନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।