ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରମାଣ ମାଗିଲା ଦିଲ୍ଲୀ ପୋଲିସ, ଫଟୋ, ଭିଡିଓ ଓ ହ୍ୱାଟସପ୍ ଚାଟ୍ ଦାଖଲ କରିବାକୁ ନିର୍ଦ୍ଦେଶ

284

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂ ଏବେ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯୌନ ଉତ୍ପୀଡନ ଅଭିଯୋଗର ସାମ୍ନା କରୁଛନ୍ତି । ଏହାରି ମଧ୍ୟରେ ଖବର ଆସିଛି କି ଦିଲ୍ଲୀ ପୋଲିସ ତରଫରୁ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜଭୂଷଣଙ୍କ ବିରୋଧରେ ପ୍ରମାଣ ମାଗାଯାଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଠାରୁ ଦିଲ୍ଲୀ ପୋଲିସ ଫଟୋ, ଭିଡିଓ ଓ  ହ୍ୱାଟସପ୍ ଚାଟ୍ ମାଗିଥିବା କୁହାଯାଇଛି । ଏହାସହ ପୋଲିସ ନିଜ ତରଫରୁ ମଧ୍ୟ ପ୍ରମାଣ ଯୋଗାଡ କରିବାକୁ ଚେଷ୍ଟା ଚଳାଇଛି । ଦିଲ୍ଲୀ ପୋଲିସ ତରଫରୁ ସିଆରପିସି ୯୧ ଆଧାରରେ ଏକ ନୋଟିସ ଜାରି କରିଛି । ଏଥିରେ ଯାଂଚ ଅଧିକାରୀଙ୍କୁ ଅଭିଯୋଗ ଉପରେ କୌଣସି ଡକ୍ୟୁମେଣ୍ଟ ମାଗିବାର ଅଧିକାର ରହିଛି ।

ସେପଟେ ଗତକାଲି ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ବ୍ରିଜ ଭୂଷଣଙ୍କ ବିରୋଧରେ ମଧ୍ୟ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ବ୍ରିଜଭୂଷଣଙ୍କ ତରଫରୁ ଅତ୍ୟାଧିକ ଚାପ ପଡିବାର ଅଭିଯୋଗକାରୀ ନାବାଳିକା ମହିଳା କୁସ୍ତିଯୋଦ୍ଧା ଜଣଙ୍କ ତାଙ୍କର ବୟାନ ବଦଳାଇଛନ୍ତି । ଏହାସହ ଅପୋଷ ବୁଝାମଣା ପାଇଁ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ପକାଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ସାକ୍ଷୀ ମଲ୍ଲିକ ଦାବି କରିଥିଲେ କି ବ୍ରିଜଭୂଷଣଙ୍କୁ ଗିରଫ କରାନଗଲେ ନିରପେକ୍ଷ ଯାଂଚ ହୋଇପାରିବ ନାହିଁ । ହେଲେ ସମସ୍ତ ପ୍ରକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ରିଜଭୂଷଣ ସିଂ ।