ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ : ଲଗାତାର ତୃତୀୟ ଦିନରେ ଚାଲିଛି ଜେରା

83

କନକ ବ୍ୟୁରୋ : ନ୍ୟାସନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କ୍ରମାଗତ ତୃତୀୟ ଦିନରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି । ଆଜି ମଧ୍ୟ ରାହୁଲ ଇଡି କାର୍ଯ୍ୟାଳୟ ଯିବା ପୂର୍ବରୁ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ଭେଟିଥିଲେ । ତେବେ ରାହୁଲଙ୍କ ଇଡି ଅଫିସରେ ପହଞ୍ଚିବା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ବାହାରେ ଦଳୀୟ କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଇଡି ଏପର୍ଯ୍ୟନ୍ତ ରାହୁଲଙ୍କୁ ୨୧ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିସାରିଲାଣି ।

ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରାଯାଇଥିଲା । ଗତକାଲି ଜେରା ସମୟରେ ବାରମ୍ବାର ପଚରା ଉଚରା ପାଇଁ ତାଙ୍କୁ ସମନ ନପଠାଇବାକୁ ରାହୁଲ କହିଥିବା ଜଣାପଡିଛି । ସୋମବାର ଭଳି ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଦୁଇ ରାଉଣ୍ଡ ଜେରା କରାଯାଇଥିଲା । ତେବେ ଇଡି ରାହୁଲ ଗାନ୍ଧୀଙ୍କ ଜବାବରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ୧୦ ବର୍ଷ ତଳେ କରିଥିବା ନ୍ୟାସନାଲ ହେରାଲ୍ଡ ମାମଲା ଗାନ୍ଧୀ ପରିବାର ପାଇଁ ସମସ୍ୟା ବଢିବାରେ ଲାଗିଛି ।

କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସୋନିଆ ଗାନ୍ଧୀଙ୍କୁ ଜୁନ ୨୩ ତାରିଖରେ ଜେରା କରିବା ପାଇଁ ସମନ ଜାରି କରିଛି ଇଡି । ସେପଟେ ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନେତାଙ୍କ ମାଲିକାନରେ ଚାଲିଥିବା ୟଙ୍ଗ ଇଣ୍ଡିଆ ଲିମିଟେଡ କଂପାନୀର ୭୬ ପ୍ରତିଶତ ସେୟାର ରାହୁଲ ଓ ସୋନିଆଙ୍କ ନାଁରେ ରହିଛି । ତେଣୁ ସେମାନଙ୍କୁ ଜେରା ପାଇଁ ସମନ କରାଯାଇଛି । ୟଙ୍ଗ ଇଣ୍ଡିଆ ଲିମିଟେଡର ଗଠନ ନନପ୍ରଫିଟ୍ କଂପାନୀ ଭାବେ ହୋଇଥିଲେ ହେଁ କମ୍ପାନୀ ନାଁରେ ଋଣ ନେବା ଓ ଧନ ଶୋଷଣ କରିଥିବା ଅଭିଯୋଗ ରହିଛି ।