ଧସିଲା ବୈତରଣୀ ନଦୀବନ୍ଧ : ନଦୀ ଗର୍ଭକୁ ଚାଲିଗଲା ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ସହ ବଡ ବଡ ପଥର ଓ ଗଛ, ଆତଙ୍କରେ ଲୋକେ

872

କନକ ବ୍ୟୁରୋ : ଧସିଲା ବୈତରଣୀ ନଦୀବନ୍ଧ । ଭୟଭୀତ ଅବସ୍ଥାରେ ଯାଜପୁର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁରର ବାସିନ୍ଦା । ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛି । ଏପରିକି ବନ୍ଧ ପାର୍ଶ୍ୱରେ ଥିବା ପଥର ଓ ବଡ଼ ବଡ଼ ଗଛ ନଦୀ ଭିତରକୁ ଚାଲି ଯାଇଛି । ଫଳରେ ଆଖପାଖ ଅଞ୍ଚଳ ୩ଟି ପଞ୍ଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ନିମ୍ନମାନର କାମ କରାଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ନଦୀ ବନ୍ଧ ମରାମତି ନାମରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସ୍ଥଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନଦୀ ବନ୍ଧ ଧସି ଯିବାର ପ୍ରମୁଖ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ି କରଣ ପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କେଉଁ କାରଣରୁ ବନ୍ୟା ସମୟରେ ଏଭଳି ଅଘଟଣ ଘଟିଲା ତାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚଳିତ ବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ବନ୍ଧ ସଂପ୍ରସାରଣ କାର୍ଯ୍ୟଟିକୁ ଠିକାଦରା ନିହାର ମାନ୍ଧାତା କରୁଥିଲେ । ମାତ୍ର ନଦୀ ବନ୍ଧ ତଳୁ ମାଟି କାଢି ବନ୍ଧ ମରାମତି କରିବା, ବାଲିଆ ମାଟିିରେ କାର୍ଯ୍ୟ କରିବା ସହ ଠିକ ଭାବରେ ରୋଲିଙ୍ଗ କରାଯାଇନଥିବାରୁ ଏଭଳି ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।