ଦାମଙ୍କ ସଭାମଂଚରେ ବୈଜୟନ୍ତଙ୍କୁ ନେଇ ପ୍ରଶ୍ନ ! ୮ଶହ କୋଟିର ବକେୟା ବିଜୁଳି ବିଲ୍ ନେଇ ଜବାବ୍ ମାଗିଲେ ଜନତା, ରାଗିଗଲେ ଦାମ ।

58

କନକ ବ୍ୟୁରୋ : ଦାମଙ୍କ ସଭାରେ ବୈଜୟନ୍ତଙ୍କ ବିଜୁଳି ବିଲକୁ ନେଇ ଜନତାଙ୍କ ପ୍ରଶ୍ନ । ବାରିପଦାରେ ଦୁର୍ନୀତି ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମରେ ଯୋଗ ଦେଇ ହଟହଟା ହେଲେ ଦାମ । ବିଜେଡି ବିରୋଧରେ ଲଢିବାକୁ ଦାମ-ବୈଜୟନ୍ତ ଏକାଠି ହେଉଥିବା ନେଇ ଚର୍ଚ୍ଚା ଭିତରେ ଏଭଳି ରୋଚକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସଭାମଂଚକୁ ଚଢିଯାଇ ବୈଜୟନ୍ତଙ୍କ ବାବଦରେ ଦାମଙ୍କୁ ପ୍ରଶ୍ନ କରିଛନ୍ତି । ସେପଟେ ଦୁର୍ନୀତି ବିରୋଧରେ ସଂଗ୍ରାମ ଆରମ୍ଭ କରିଥିବା ଦାମ, ପୁଣି ତୃତୀୟ ମହଲାର ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି ।

‘ଆମର ଓଡିଶାର ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କର ଯୋଉ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଲୋକଙ୍କର ହିସାବ ଦେଖାଇଲେ, ତାଙ୍କର ସବୁ ଚିଠା ବାହାର କଲେ । ତ ବର୍ତ୍ତମାନ ସେ ଜଣେ ଖଣି ମାଲିକ । ଖଣି ଲିଜ ଚଲଉଛନ୍ତି । ଏ ପର୍ଯ୍ୟନ୍ତ ସେ କ’ଣ ପାଇଁ ତାଙ୍କର ୮୦୦ ପାଖାପାଖି ୮୦୦ କୋଟି ଟଙ୍କା ଇଲେକଟ୍ରିକ୍ ବିଲ ଦେଇନାହାନ୍ତି । ଯାହା ଫଳରେ ଯଦି ହୁଏତ ଦେଇ ଦେଇଥାନ୍ତେ, ଆମ ଏ ଓଡିଶାବାସୀଙ୍କର କିଛି ଗରିବ ଲୋକ ଉପକୃତ ହୁଅନ୍ତେ । ସେଇଟାକୁ ମୁଁ ଦାମ ବାବୁଙ୍କୁ ପ୍ରଶ୍ନ କରିବି ।’

ଦାମଙ୍କ ସଭା ମଂଚ ଉପରକୁ ଉଠିଯାଇ ହଠାତ ଜଣେ ଦର୍ଶକ ବୈଜୟନ୍ତଙ୍କୁ ନେଇ ଏଭଳି ପ୍ରଶ୍ନ କରିଥିଲେ । ଆଉ ମଂଚ ଉପରେ ନିଜ ଅଭିଭାଷଣ ରଖୁଥିବା ଦାମ ବାବୁଙ୍କୁ ହଟହଟା ହେବାକୁ ପଡିଥିଲା । ଯଦିଓ ଦାମ ତାର ଉତ୍ତର ରଖୁଥିଲେ, ହେଲେ ଦାମଙ୍କ ସଂପର୍କିତ ଏକ ପ୍ରଶ୍ନ କଲାବେଳକୁ ସଭାର ଆୟୋଜକ ସଂପୃକ୍ତ ବ୍ୟକ୍ତିଙ୍କୁ ବାଧା ଦେଇଥିଲେ । ଏପରିକି ଠେଲାପେଲା କରି ମଂଚ ତଳକୁ ନେଇଯାଇଥିଲେ ଓ ପୋଲିସ ଜିମା ଦେଇଥିଲେ ।

ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରିପଦାରେ ଆୟୋଜିତ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମହାସଂଗ୍ରାମ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ଆୟୋଜକ ତାଙ୍କୁ ସମ୍ମାନିତ ଅତିଥୀ ଭାବେ ଆମନ୍ତ୍ରଣ କରିଥିଲେ । ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲେ ବି ଯୋଗ ଦେଇନଥିଲେ ପୂର୍ବତନ ସାଂସଦ । ଆଉ ବୈଜୟନ୍ତଙ୍କୁ ନେଇ ଦାମଙ୍କୁ ପ୍ରଶ୍ନ କରିଥିଲେ ସେହି ବ୍ୟକ୍ତି ଜଣକ । ଯାହାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ଦାମ ।

ଏଥିସହ ଦୁର୍ନୀତି ବିରୋଧରେ ସଂଗ୍ରାମ ଆରମ୍ଭ କରିଥିବା ଦାମ ବାବୁ ହର୍ଟିକଲଚର ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟରଙ୍କୁ ନିଲମ୍ବନ କରିବା ପରେ ସେ ୧ କୋଟି ଟଙ୍କାର ଲାଂଚ ଯାଚିଥିବା ସଂଗୀନ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିରୋଧରେ ମିଳିତ ସଂଗ୍ରାମ ପାଇଁ ଦାମ ଓ ବୈଜୟନ୍ତ ଏକାଠି ହେବା ଚର୍ଚ୍ଚା ଭିତରେ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଦାମଙ୍କ ମହାଭିଯୋଗ ଓ ତାଙ୍କ ସଭାରେ ବୈଜୟନ୍ତଙ୍କୁ ଅପଦସ୍ତ କରିବା ଲାଗି ଏହି ବ୍ୟକ୍ତିଙ୍କ ଉଦ୍ୟମକୁ ପ୍ରାୟୋଜିତ ବୋଲି କହିଛନ୍ତି ଦାମଙ୍କ ସମର୍ଥକ ।