ସମ୍ଭାବ୍ୟ ବାତ୍ୟାର ବଡ ଅପଡେଟ । ଓଡ଼ିଶା ଉପକୂଳ ମୁହାଁ ହେବ ବାତ୍ୟା । ୧୦ରୁ ବର୍ଷିବ । 

927

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ ଅପଡେଟ । ଓଡ଼ିଶା ଉପକୂଳ ମୁହାଁ ହେବ ବାତ୍ୟା । ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୬ ଘଣ୍ଟାରେ ଅବପାତ, ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଓ ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ  ଉତ୍ତର-ଆନ୍ଧ୍ର  ଏବଂ ଓଡ଼ିଶା ଉପକୂଳ ପହଞ୍ଚିବା ପରେ ଦିଗ ପରିବର୍ତ୍ତନ କରିବ । ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରାଯାଇନାହିଁ । ଆଜି ଅବପାତରେ ପରିଣତ ହେବା ପରେ ଅଧିକ ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ । କାଲି ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ବେଗରେ ପବନ ବହିପାରେ । ଯାହାର ଝଟକା ୭୫ କି.ମି ପର୍ଯ୍ୟନ୍ତ ହୋଇପାରେ । ୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ । ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି । ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ଏଥିସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଆସନ୍ତା ୧୦ ତାରିଖ ଦିନ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିଲୋମିଟର ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ । କିନ୍ତୁ ବଡ଼ ଧରଣର ବର୍ଷା, ପବନ ସମ୍ଭାବନା କମ୍ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥି ସହ କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ ଓ ଉତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।