‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନିୟମକୁ ମଞ୍ଜୁରୀ ଦେଲା କଂଗ୍ରେସ । ପଢନ୍ତୁ, କଂଗ୍ରେସ ଚିନ୍ତନ ଶିବିରରେ ନିଆଗଲା କି କି ନିଷ୍ପତ୍ତି ?

166

କନକ ବ୍ୟୁରୋ: ଜଣେ ବ୍ୟକ୍ତି, ଗୋଟିଏ ପଦ । ଗୋଟିଏ ପରିବାର, ଗୋଟିଏ ଟିକେଟ୍ ନିୟମ ଲାଗୁ କଲା କଂଗ୍ରେସ । ରବିବାର କଂଗ୍ରେସ ଚିନ୍ତନ ଶିବିରରେ ଏନେଇ ନିଷ୍ପତ୍ତି ନିଆଯିବା ସହିତ ଆଗକୁ କଂଗ୍ରେସ କେମିତି ଆଗକୁ ବଢିବ ସେ ନେଇ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଖାଲି ସେତିକି ନୁହେଁ, ନେତାଙ୍କ ପାଇଁ ଟ୍ରେନିଂଠୁ ଆରମ୍ଭ କରି ଯୁବବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କଥାକୁ ମଧ୍ୟ ଏଥର ଚିନ୍ତନ ଶିବିରରେ ପ୍ରାଧାନ୍ୟ ଦିଆଯାଇଛି ।

ରାଜସ୍ଥାନର ଉଦୟପୁରରେ ତିନି ଦିନ ହେଲା କଂଗ୍ରେସ ନେତାଙ୍କୁ ନେଇ ଚିନ୍ତନ ଶିବିରର ଆୟୋଜନ କରାଯାଉଛି । ଯେଉଁଥିରେ ନାନାଦି ବିଷୟକୁ ନେଇ ଚର୍ଚ୍ଚା ଆଲୋଚନା ହେବା ସହିତ ଅନେକ ବଡ ବଡ ନିଷ୍ପତ୍ତି ମଧ୍ୟ ନିଆଯାଉଛି । ଏହି କ୍ରମରେ ଚିନ୍ତନ ଶିବିରର ଶେଷ ଦିନରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମ ଲାଗୁ କରିଛି । ତା ସହିତ ଗୋଟିଏ ପରିବାର ଓ ଗୋଟିଏ ଟିକେଟ୍ ନିୟମ ମଧ୍ୟ ଲାଗୁ କରିଛି । ତେବେ ଯେଉଁ ପରିବାର ଦଳ ପାଇଁ ୫ରୁ ଅଧିକ ବର୍ଷ ସକ୍ରିୟ ଭାବେ କାମ କରିଥିବ ତାଙ୍କ ପାଇଁ ଗୋଟିଏ ପରିବାର, ଗୋଟିଏ ଟିକେଟ୍ ନିୟମ ଲାଗୁ ନୁହେଁ ବୋଲି କୁହାଯାଇଛି ।

ଗୋଟିଏ ପରିବାର, ଗୋଟିଏ ଟିକେଟ୍ ନିୟମ ଲାଗୁ ହୋଇଥିଲେ ଗାନ୍ଧୀ ପରିବାର ମଧ୍ୟ ଏହି ନିୟମ ଭିତରେ ଆସଥାନ୍ତା । ଯାହା ଫଳରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ ଏକାଠି ଟିକେଟ୍ ମିଳିପାରିନଥାନ୍ତା । ତେଣୁ ଏହି ସମସ୍ୟାକୁ ଦୂରେଇବାକୁ ଯାଇ, ଏଥିରେ ଏହି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । ଅନ୍ୟପଟେ କଂଗ୍ରେସ ପ୍ରତି ଯୁବକଙ୍କୁ ଆକୃଷ୍ଟ କରିବାକୁ ଦଳ ଏକ ବଡ ନିଷ୍ପତ୍ତି ନେଇଛି । ପାର୍ଟିରେ ଏକ ୫୦ ପ୍ରତିଶତ ଯୁବକଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିବ । ତେବେ ଅଧିକ ବୟସର ଲୋକଙ୍କୁ କଂଗ୍ରେସରୁ ବାଦ୍ ଦେବା ନିଷ୍ପତ୍ତିକୁ ଦଳ ଗ୍ରହଣ କରିନି । ସେପଟେ ଦଳର ସଙ୍ଗଠନକୁ ଅଧିକ ମଝବୁତ୍ କରିବାକୁ ପ୍ରତି ଜିଲ୍ଲାରେ ୭୫ କିଲୋମିଟର ବ୍ୟାପି ପଦଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।