ଇତିହାସ ରଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ୍ୱିତୀୟଥର ଆମେରିକା କଂଗ୍ରେସରେ ଦେବେ ଉଦବୋଧନ। ସ୍ୱାଗତ ପାଇଁ ବାଇଡେନ ପ୍ରଶାସନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତ

171

କନକ ବ୍ୟୁରୋ : ଆଉ ସପ୍ତାହେ ପରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ହେଉଛି ଆମେରିକାକୁ ମୋଦୀଙ୍କ ପ୍ରଥମ ରାଷ୍ଟ୍ରୀୟ ଗସ୍ତ ତଥା ଷ୍ଟେଟ୍ ଭିଜିଟ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଜୁନ୍ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦୀ । ଆମେରିକା କଂଗ୍ରେସର ମିଳିତ ଅଧିବେସନରେ ଭାରତର ପ୍ରଥମ ନେତା ଭାବେ ଦ୍ୱିତୀୟ ଥର ପାଇଁ ଉଦବୋଧନ ଦେବେ ମୋଦୀ । ଏହା ପୂର୍ବରୁ କୌଣସି ଭାରତୀୟ ନେତା ଆମେରିକା କଂଗ୍ରେସର ମିଳିତ ଅଧିବେସନରେ ଭାଷଣ ଦେଇନାହାଁନ୍ତି । ୨୦୧୬ରେ ଆମେରିକା କଂଗ୍ରେସରେ ପ୍ରଥମ ଥର ମୋଦୀ ଉଦବୋଧନ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ନେଇ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଭାରତ, ତାଇୱାନ ଭଳି ପଡୋଶୀ ଦେଶ ସହ ଚୀନର ବିବାଦ ଲାଗିରହିଛି । ଏଥିସହ ପ୍ରଶାନ୍ତ ମହାସାଗରରେ ଚୀନ ନିଜର ଆଧିପତ୍ୟ ଦେଖାଇ ଚାଲିଛି । ଯାହାକୁ ନେଇ ଚୀନ-ଆମେରିକା ମଧ୍ୟରେ ସମ୍ପର୍କ ଭଲ ନାହିଁ । ବିଶ୍ୱ ବାଣିଜ୍ୟରେ ଆମେରକାକୁ କେବଳ ଚୀନ ହିଁ ଟକ୍କର ଦେଉଛି । କିନ୍ତୁ ଚୀନଠୁ ଆମେରିକାର ଦୂୂରତା ବହୁତ ଅଧିକ ହୋଇଥିବାରୁ ବେଜିଂ ଉପରେ ନିୟନ୍ତ୍ରଣ ରଖିପାରୁନି ଆମେରିକା । ଏପରି ସ୍ଥଳେ ଚୀନର ମୁଖ୍ୟ ବିରୋଧୀ ଭାରତକୁ ସାଙ୍ଗରେ ନେଇ ବେଜିଂକୁ ଟକ୍କର ଦେବାକୁ ଜୋ ବାଇଡେନ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । କାରଣ ଏସିଆ ମହାଦେଶରେ ଚୀନକୁ କେବଳ ଭାରତ ହିଁ ସଠିକ୍ ଜବାବ ଦେଇପାରିବ ବୋଲି ବେଶ ଭଲ ଭାବେ ବୁଝିସାରିଛି ଆମେରିକା । ଏପଟେ ମୋଦୀ ଗସ୍ତକୁ ବିରୋଧ କରିଛନ୍ତି ଆମେରିକାର ଦୁଇ ମାନବଅଧିକାର ସଙ୍ଗଠନ । ମୋଦୀଙ୍କ ଗସ୍ତ ପୂର୍ବରୁ ଜୁନ୍ ୨୦ ତାରିଖରେ ବିବିସିର ବିବାଦୀୟ ଡକ୍ୟୁମେଂଟାରୀ ‘ଇଣ୍ଡିଆ: ଦ ମୋଦୀ କୋଶ୍ଚିନ’ ୱାସିଂଟନରେ ପ୍ରଦର୍ଶନ କରାଯିବାକୁ ଯୋଜନା ହୋଇଛି ।