ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୫ ଦିନ ଭିତରେ ଦୁଇ ଗୁଣ ବଢ଼ିଲା ସଂକ୍ରମଣ ହାର ।

216

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ବଢ଼ୁଛି ଟେଷ୍ଟ ପଜିଟିଭିଟି ରେଟ୍ । ରାଜ୍ୟରେ ମାତ୍ର ୫ ଦିନ ଭିତରେ ଦୁଇ ଗୁଣ ବଢ଼ିଯାଇଛି ସଂକ୍ରମଣ ହାର । ଓମିକ୍ରନ ଆସିବା ପରେ ପୁଣି ଥରେ ଉପରମୁହାଁ ହୋଇଛି ରାଜ୍ୟର କରୋନା ମିଟର ।

                        ଓଡ଼ିଶା କରୋନା ମିଟର
             ତାରିଖ              ପରୀକ୍ଷା       ସଂକ୍ରମଣ     ସଂକ୍ରମଣ ହାର

  • ଜାନୁଆରୀ ୩        ୫୪,୭୯୩     ୪୨୪        ୦.୭୭%
  • ଜାନୁଆରୀ ୨        ୬୧, ୪୫୧     ୪୨୪      ୦.୬୮%
  • ଜାନୁଆରୀ ୧        ୬୨, ୨୧୪     ୨୯୮      ୦.୪୭%
  • ଡିସେମ୍ବର ୩୧      ୬୧, ୨୭୭    ୨୨୮      ୦.୩୭%
  • ଡିସେମ୍ବର ୩୦      ୬୨, ୧୯୨    ୨୨୫       ୦.୩୬%

ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା, ସେଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଦେଶ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି । ଏବେ ୩୦୦ରୁ ଉଦ୍ଧ୍ୱର୍ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଦିଆଯାଇଛି । ଯେଉଁପରି ଭାବେ ସଂକ୍ରମଣ ବଢ଼ିଚାଲିଛି, ତାହା ସୂଚାଉଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମାଡ଼ି ମାଡ଼ି ଚାଲିଛି । ରବିବାର ଦିନ ୨୩ଟି ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୨ଟି ଥିଲେ ସ୍ଥାନୀୟ ସଂକ୍ରମିତ । ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଗୋଷ୍ଠୀରେ ଓମିକ୍ରନ ଭୂତାଣୁ ରହିଛି ।

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହାର ସମୀକ୍ଷା କରିଛି । ଆବଶ୍ୟକ ପଡ଼ିଲେ ଜିଲ୍ଲା ସ୍ତରରେ ହସପିଟାଲ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଅଧିକ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍ସିଂ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ସମ୍ବଲପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି । ଖୋର୍ଦ୍ଧାରେ ସକ୍ରିୟ ମାମଲା ଏବେ ୮୯୦ରେ ପହଁଚିଛି । ସେହିପରି ପୁଣିଥରେ ଗ୍ରୀନ ଜୋନରୁ ୟେଲୋ ଜୋନ୍ ମୁହାଁ ହୋଇଛି ଖୋର୍ଦ୍ଧା । ଏହାସହ ରାଜ୍ୟରେ ଏବେ ସଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଛି ।