ଖଣ୍ଡପଡାରେ ପାଣ୍ଡିଆନଙ୍କ ପ୍ରଚାର । ବିଜେପିକୁ କଲେ ଟାର୍ଗେଟ, କହିଲେ ଦିନରେ ଲଣ୍ଠନ ଦେଖାଉଛି ବିଜେପି ।

205

କନକ ବ୍ୟୁରୋ : ଖଣ୍ଡପଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ । ୨ଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ । ଯାହା ବି ଦାବି ରହିଛି, ତାହା ଖୁବ୍ କମ ଦିନରେ ପୂରଣ ହେବ । ବିଭିନ୍ନ ମନ୍ଦିରର ରୂପାନ୍ତରଣ ସହ ଦକ୍ଷତା ବିକାଶ କେନ୍ଦ୍ର ଏଠାରେ ଖୋଲାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

ଏହାସହ ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ସମୟରେ ବିଜେପିର ନେତା ଆସି ବଡ ବଡ କଥା କହିବେ । ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ନିର୍ବାଚନ ପରେ ଖୋଜିଲେ ସେମାନଙ୍କୁ ପାଇବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ସାଥୀରେ ଛିଡା ହେବେ । ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଆପଣଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥଗ୍ରହଣ କରିବେ । ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୁଳି ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ । ଯାହାଦ୍ୱାରା ୯୦% ଲୋକ ଉପକୃତ ହେବେ । କିଛି ଲୋକ ବାହାରୁ ପର୍ଯ୍ୟଟକ ଭଳି ଆସିବେ, କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦେଖା ମିଳିବନି । ବିଜେପି ମାଗଣା ବିଜୁଳି ଦେବାକୁ କହୁଛି । କିନ୍ତୁ ଏଥିପାଇଁ ଲୋକ ପ୍ରଥମେ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବେ । ସୋଲାର ପ୍ୟାନେଲ ଜରିଆରେ ସୂର୍ଯ୍ୟ କିରଣରୁ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି କହୁଛନ୍ତି । ଏମାନେ ଦିନରେ ଲଣ୍ଠନ ଦେଖାଉଛି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ । ଭତ୍ତା, ଘର ପାଇଁ ନବୀନ ଗ୍ୟାରେଣ୍ଟି ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ବିଜେଡିକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ ।