ମହିଳା ସଂରକ୍ଷଣ ଶ୍ରେୟ ନେବାକୁ ଟଣାଓଟରା: ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ମୋଦୀ

79

କନକ ବ୍ୟୁରୋ: ଦୀର୍ଘ ୨୭ବର୍ଷର ଅପେକ୍ଷା ପରେ ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ । ବୁଧବାର ଲୋକସଭାରେ ବିଲ ପାରିତ ହୋଇଥିବାବେଳେ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି । କିନ୍ତୁ ବିଲ ପାରିତ ହେବା ପରେ ଜୋରଦାର ହୋଇଛି ଶ୍ରେୟ ରାଜନୀତି ।

ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରାଇ, ସାରାବିଶ୍ୱକୁ ଏକ ବଡ ବାର୍ତା ଦେଇଛି ଭାରତ । ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଭାରତ କେମିତି ଏକ ହୋଇପାରେ ତାହା ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରୁ ସ୍ପଷ୍ଟ ହୋଇଛି । ବିଲ୍ ପାରିତ ହେବା ପରେ ମହିଳାମାନେ ଖୁସି ମନାଉଛନ୍ତିି । କିନ୍ତୁ ଏହାରି ଭିତରେ ଆରମ୍ଭ ହୋଇଛି ରାଜନୀତି ।

ମହିଳା ବିଲ୍ ପାସ୍ ହେବା ପରେ ପ୍ରାୟ ସବୁ ରାଜନୈତିକ ଦଳ ଶ୍ରେୟ ନେବାକୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ବିଜେପି ନେତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ନେତ୍ରୀମାନଙ୍କ ସହ ଫଟୋ ଉଠାଇଛନ୍ତି । ମହିଳା ସାଂସଦମାନଙ୍କ ସହ ମଧ୍ୟ ଫଟୋ ଉଠାଇ ଭିନ୍ନ ବାର୍ତା ଦେବାକୁ ପ୍ରୟାସ କରିଛନ୍ତି ମୋଦୀ । ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଏକ କାର୍ଯ୍ୟକ୍ରମର ଆୟେଜନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯାଇଛି ।

ଦୀର୍ଘ ଦିନ ହେବ ମହିଳା ସଂରକ୍ଷଣ କଥା କହି ଆସୁଥିବାରୁ ଶ୍ରେୟ ନେବାକୁ ବିଜେଡି ବି ପ୍ରୟାସ ଆରମ୍ଭ କରିଛି । ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ପରେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରି ବଡ ବାର୍ତା ଦେବାକୁ ଉଦ୍ୟମ କରିଛି ଦଳ । ଏଥିସହ ମହିଳା ବିଧାୟିକାମାନଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୀର୍ଘ ୨୭ବର୍ଷର ସଂଘର୍ଷ ପରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ଏହା ଲାଗୁ ହେବାକୁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଏସବୁ ଭିତରେ ମହିଳା ବିଲ୍ ଆସିବାରେ କାହାର ପ୍ରମୁଖ ଭୂମିକା ରହିଛି,ତାକୁ ନେଇ ରାଜନୀତି କରିବା ଚର୍ଚ୍ଚାର ବିଷୟ ହୋଇଛି ।