ଦ୍ୱନ୍ଦ ବଢ଼ାଇଲା ମନ୍ତ୍ରୀ-ସଚିବଙ୍କ ବୟାନ । ପୁଣି ରାଜରାସ୍ତାକୁ ଓହ୍ଲାଇବେ କି ଚିଟଫଣ୍ଡ୍ ଜମାକାରୀ?

232

କନକ ବ୍ୟୁରୋ: ଚିଟ୍ ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରି ପାଇବା ନେଇ ପ୍ରକାଶ ପାଇଲା ସନ୍ଦେହ । ଅର୍ଥସଚିବ କହିଛନ୍ତି, ସେମାନେ ନିଜ ଆଡୁ ଟଙ୍କା ଜମା କରିଥିଲେ ଆଉ ଧୋକା ଖାଇଛନ୍ତି । କେବଳ ସ୍ୱାନ୍ତନା ମୂଳକ ସହାୟତା ଭାବେ କିଛି ଅର୍ଥ ସରକାର ଦେବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଏଥି ପାଇଁ ଯାଂଚ ଚାଲିଛି । କ୍ଷେତ୍ର ଯାଂଚ ପରେ ହିଁ ଟଙ୍କା ଦିଆଯାଇ ପାରିବ ବୋଲି କହିଛନ୍ତି ସଚିବ ଅଶୋକ କେ ମୀନା । ଏନେଇ ପ୍ରତିମାସ ସମୀକ୍ଷା ହେଉଛି ଏବଂ ଜିଲ୍ଲାପାଳ ଯାଂଚ କରୁଥିବା ସଚିବ ସୂଚନା ଦେଇଛନ୍ତି । ଏହା ସହ ଯେ କେହି କହିଲେ ଲୋକଙ୍କ ଟିକଟ ଟଙ୍କାକୁ ଏଭଳି କଣ ଦିଆଯାଇ ପାରିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ସେପଟେ କେବେ ଜମା ଟଙ୍କା ଫେରିପାଇବେ ଚିଟ୍ଫଣ୍ଡ ଜମାକାରୀ , ଏହି ପ୍ରଶ୍ନର ଉତରରେ ଅର୍ଥମନ୍ତ୍ରୀ ମାମଲା ବିଚାରାଧୀନ ଥିବା କହିଛନ୍ତି । ଅନ୍ୟପଟେ ସଚିବଙ୍କ ଉତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତେ ଦିନ ଧରି ଚିଟଫଣ୍ଡ ଟଙ୍କା ଜମାକାରୀଙ୍କୁ ଫେରାଇ ଦିଆଯିବ ବୋଲି ବହୁ ନେତା ଡିଣ୍ଡିମ ପିଟୁ ଥିବା ବେଳେ ସରକାର କର୍ପସ ଫଣ୍ଡ କଥା ବି କହିଥିଲେ । ଅନ୍ୟପଟେ ଅର୍ଥ ସଚିବଙ୍କ ମନ୍ତବ୍ୟ ଜମାକାରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସମ୍ଭାବନା ରହିଛି । ଫଳରେ ପୁଣି ଥରେ ଚିଟ୍ଫଣ୍ଡ ଜମାକାରୀ ରାଜରାସ୍ତାକୁ ଓହ୍ଲାଇବା ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ସରକାରଙ୍କ ଆଗରେ ଜମାକାରୀ ଦାବି କରିବା କଣ ଉଚିତ ନୁହେଁ ? ଯେତେବେଳେ ଜଣେ ନାଗରିକକୁ କେହି ଜଣେ ଠକିବ, ତାହାର ସମାଧାନ ପାଇଁ ସେ କାହା ପାଖକୁ ଯିବ? ଚିଟ୍ଫଣ୍ଡ କମ୍ପାନୀ ମାନଙ୍କ ସମ୍ପତିର ନିଲାମ ଅର୍ଥ କଣ ହେବ? ଠକ କମ୍ପାନୀମାନଙ୍କର ଜମାଖାତା ଜବତ କରାଯାଇ କୋଟି କୋଟି ଟଙ୍କା ଏକାଠି କରାଯାଇ କଣକ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଦିଆଯାଇ ପାରିବ ନାହିଁ । ଜନତାଙ୍କ ଧନ ଜୀବନ ସୁରକ୍ଷା କଣ ଦେଶର ଦାୟିତ୍ୱ ନୁହେଁ କି?