ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ବିଧାୟକ । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିବା ନେଇ କଲେ ପ୍ରଶ୍ନ । କେବିକେ ଜିଲ୍ଲାକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ।

89

କନକ ବ୍ୟୁରୋ: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ, ପ୍ରଶ୍ନକାଳରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସର ଦୁଇ ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କ ଅବହେଳା ଓ ପାତରଅନ୍ତର ନୀତି ଯୋଗୁଁ କେବିକେ ଜିଲ୍ଲାର ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଥିବା ଅଭିଯୋଗ ଆଣି ସମାଲୋଚନା କରିଛନ୍ତି । ଜବାବ ମାଗିଛନ୍ତିି ।

  • ଅତନୁଙ୍କୁ ଘେରିଲେ ତାରା ଓ ନରସିଂହ
  • ବିଶ୍ୱବିଦ୍ୟାଳୟର ଖାଲି ପଦବିକୁ ନେଇ ବର୍ଷିଲେ
  • କେବିକେକୁ ପାତରଅନ୍ତର କରୁଥିବା ଅଭିଯୋଗ

ତାରା ପ୍ରସାଦ ବାହିନୀ ପତି ପ୍ରଶ୍ନକାଳରେ କହିଛନ୍ତି, ଉଚ୍ଚଶିକ୍ଷା ବିଭାଗର ତ୍ରୁଟି ଯୋଗୁଁ କୋରାପୁଟରେ ଥିବା ବିଇଡି କଲେଜ ବନ୍ଦ ହୋଇଯାଇଛି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଚାଲିଥିବା ବିଇଡି ଶିକ୍ଷାଦାନ ବନ୍ଦ ହୋଇଛି । କେବଳ ଏତିକି ନୁହେଁ, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ କାହିିଁକି ଅଧ୍ୟାପକ ଓ କର୍ମଚାରୀ ପଦ ଖାଲି ପଡିଛି ସେନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ସନ୍ତୋଷଜନକ ନହେଲେ ବି ତାରାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ବିଶ୍ୱବିଦ୍ୟାଳୟରେ କେମିତି ଅଧ୍ୟାପକ ପଦବୀ ପୂରଣ କରାଯିବ ସେ କଥା ନକହି, ମନ୍ତ୍ରୀ ଅତିଥି ଅଧ୍ୟାପକଙ୍କ ଦ୍ୱାରା ପାଠ ପଢ଼ାଯାଉଥିବା କହିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟାଳୟର ଟିଚିଙ୍ଗ୍ ଓ ନନଟିଚିଙ୍ଗ୍ ଷ୍ଟାଫଙ୍କ କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ପଚାରିଥିଲେ, ଅତିଥି ଅଧ୍ୟାପକମାନେ ବିଶ୍ୱବିଦ୍ୟାଳୟରେ କଣ କରିବେ ? ସେମାନେ କଣ ଗବେଷଣା କରିବେ କି? କଡା ଭାଷାରେ ସମାଲୋଚନା କରିବା ସହ ଅଭିଯୋଗ ଆଣି କହିଛନ୍ତି, କେବିକେ ଜିଲ୍ଲାରେ ବିକାଶ ସବା ତଳେ ରହୁଛି । ରାଜ୍ୟ ସରକାର ଚାହୁଁଛନ୍ତି କେବିକେ ଅଞ୍ଚଳରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଉ ।

ତେବେ କେବଳ କେବିକେ ଅଞ୍ଚଳର ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ, ସାରା ରାଜ୍ୟରେ ସମାନ ସ୍ଥିତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦେଇଥିବା ଉତ୍ତର ଅନୁସାରେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରେ ୧୦୯୪, ସରକାରୀ କଲେଜରେ ୩୮୫ ଓ ଅନୁଦାନପ୍ରାପ୍ତ କଲେଜରେ ୧୦୬୫ ମଞ୍ଜୁରୀପ୍ରାପ୍ତ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସର ଏବଂ ଅଧ୍ୟାପକ ପଦ ଖାଲି ପଡିଛି । ଅର୍ଥାତ ଅଧ୍ୟାପକ ନଥାଇ ଚାଲିଛି ପାଠପଢ଼ା ।