ପୁଣି କଂଗ୍ରେସର ଫ୍ଲପ୍ ସୋ । ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର । ପଞ୍ଜାବରେ କାମ ଦେଲାନି ରାହୁଲଙ୍କ ରଣନୀତି
କନକ ବ୍ୟୁରୋ: ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ ପ୍ରତି ସବୁଠୁ ବଡ ଧକ୍କା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେବା ପାଇଁ ୫ରାଜ୍ୟର ବିଧାନସଭା ନିର୍ବାଚନ ଯେଉଁ ସୁଯୋଗ ଆଣିଥିଲା ତାହା ଦଳ ହାତଛଡା କରିଛି । ୟୁପି, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଦଳର ପ୍ରଦର୍ଶନ ଯେତିକି କଷ୍ଟ ଦେଇଛି । ତାଠୁ ବଳିଯାଇଛି କ୍ଷମତାରେ ଥାଇ ପଞ୍ଜାବରେ ପରାଜୟ ।
ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଦଳର ଶୀର୍ଷ ନେତୃତ୍ୱ ଉପରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ ପ୍ରତି ବଡ ଧକ୍କା ହୋଇଛି । ରାହୁଲ ଗାନ୍ଧୀ କଂଗ୍ରେସ କ୍ଷମତାରେ ଥିବା ପଞ୍ଜାବର ନିର୍ବାଚନ କଥା ବୁଝୁଥିଲେ, ଆଉ ତାଙ୍କ ରଣନୀତି, ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢି ହାରିଛନ୍ତି ଚରଣଜିତ୍ ଚନ୍ନି ସରକାର ।
ସେପଟେ ପରାଜୟରୁ ଶିଖିବାକୁ ମିଳିବ ବୋଲି ଟୁଇଟ୍ କରିଛନ୍ତି ରାହୁଲ ଗାନ୍ଧୀ । ଏବଂ କହିଛନ୍ତି, ଜନତାଙ୍କ ରାୟକୁ ସେ ବିନମ୍ରତାର ସହ ଗ୍ରହଣ କରୁଛନ୍ତି । ତେବେ ଚରଣଜିତ ସିଂ ଚନ୍ନି ଓ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଯୋଡି, ପଞ୍ଜାବ ଲୋକଙ୍କ ବିଶ୍ୱାସ ଜିତିପାରି ନାହାନ୍ତି । ଏପରିକି ଉଭୟ ଚନ୍ନି ଓ ସିଦ୍ଧୁ ନିଜେ ନିର୍ବାଚନ ହାରି ଯାଇଛନ୍ତି ।
ଅନ୍ୟପଟେ ୟୁପି ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଯାଦୁ ମଧ୍ୟ ଜନତା ଉପରେ ଚାଲିଲା ନାହିଁ । ୟୁପିରେ ଏକଦା ଶାସନ କରୁଥିବା କଂଗ୍ରେସ ଏବେ ଦୁଇ ଅଙ୍କରେ ପହଞ୍ଚିବାକୁ ସଂଘର୍ଷ କରୁଛି । ହାଥରସ, ଲଖିମପୁର ଖେରି, ଚାଷୀ ଆନ୍ଦୋଳନ, ଆଇନ ଶୃଙ୍ଖଳା, ମହିଳାଙ୍କ ଉପରେ ଅତ୍ୟାଚାର, ବେରୋଜଗାରୀ ଭଳି ପ୍ରସଙ୍ଗରେ ମଧ୍ୟ ଭୋଟ ଗୋଟେଇ ପାରି ନାହିଁ କଂଗ୍ରେସ । ଏହି ୫ ରାଜ୍ୟର ଫଳ କଂଗ୍ରେସର ଭବିଷ୍ୟତ ଉତ୍ତରାଧିକାରୀ ବୋଲି କୁହାଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଛିଡା କରିଛି । ସେପଟେ ପରାଜୟକୁ ନମ୍ରତାର ସହ ସ୍ୱୀକାର କରି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୀଘ୍ର କଂଗ୍ରେସର କାର୍ଯ୍ୟ ସମିତି ବୈଠକ ଡାକିବେ ବୋଲି କହିଛନ୍ତି ।