ଧାମୀ ଧରାଶାୟୀ, ଏବେ କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ମୁଖ୍ୟମନ୍ତ୍ରୀ ରେସରେ ଏବେ ବିଜେପିର କେଉଁ ନେତାଙ୍କ ନାଁ ଆଗରେ ରହିଛି?

324

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି । କଂଗ୍ରେସର ଭୁବନ ଚନ୍ଦ କାପଡିଙ୍କ ଠାରୁ ୬୫୭୯ ଭୋଟରେ ପୁଷ୍କର ପରାଜିତ ହେବା ପରେ ଏବେ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଷ୍କର ସିଂ ଧାମୀ ପରାଜିତ ହେବା ପରେ ଏବେ ଉତ୍ତରାଖଣ୍ଡରେ ଅନେକ ନାଁ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଛି । ଯେଉଁମାନଙ୍କ ମଧ୍ୟରେ ଧନ ସିଂ ରାୱତ, ସତ୍ୟପାଳ ମହାରାଜ ଓ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ରହିଛନ୍ତି । ସେହିଭଳି ମସୁରୀରୁ ବିଧାୟକ ଥିବା ଗଣେଶ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ରହିଛନ୍ତି ।

ଉତ୍ତରାଖଣ୍ଡରେ ମୋଟ ୭୦ ଆସନର ଫଳାଫଳ ଆସିଥିବା ବେଳେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬ ଆସନ । ଅଥାର୍ତ ୩୬ ଆସନରେ ବିଜୟୀ ହେଲେ ସରକାର ଗଢିବା ପାଇଁ ସୁଯୋଗ ମିଳିବ । ଉତ୍ତରାଖଣ୍ଡ ଇତିହାସରେ ଏଯାବତ କୌଣସି ଦଳ ଲଗାତାର ୨ ଥର ଶାସନ କ୍ଷମତାକୁ ଆସିନାହିଁ । ଅଥାର୍ତ ଏଠାରେ ଥରେ ବିଜେପି ସରକାର ହେଲେ ପରବର୍ତ୍ତୀ ଥର କଂଗ୍ରେସ ସରକାର ଗଢୁଥିଲା । କିନ୍ତୁ ଏଥର ଇତିହାସ ବଦଳିବାକୁ ଯାଉଛି । କାରଣ ଲଗାତାର ୨ ଥର ପାଇଁ କ୍ଷମତାକୁ ଆସିବ ବିଜେପି । ଆଉ ଏହି ଫଳାଫଳ ଏବେ ବିଜେପି ଶିବିରକୁ ବେଶ ଉତ୍ସାହିତ କରିଛି ।