କଳିଙ୍ଗ ଷ୍ଟାଡିୟମରେ ଭାରତ ବିଜୟର ଉତ୍ସବ ପାଳନ : ମିଠା ବାଂଟିଲେ ମନ୍ତ୍ରୀ, ନାଚିଲେ ଖେଳାଳି; ସେପଟେ ୧୬ରେ ବିଜୟୀ ଦଳକୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କଲେ ନବୀନ

287

କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ । ଏହି ଐତିହାସିକ ମୁହୁର୍ତର ସାକ୍ଷୀ ପାଲଟିଛି ସାରା ଦେଶ । ଟିଭି ଆଗରେ ବସି ଖେଳ ଦେଖୁଥିବା ଦର୍ଶକଙ୍କ ଠାରୁ ଆରମ୍ଭ କରି ହକିକୁ ଭଲ ପାଉଥିବା କ୍ରୀଡାପ୍ରେମୀଙ୍କୁ ଏହି ସଫଳତା ବେଶ ଆନନ୍ଦ ଆଣିଦେଇଛି । ଆପଣ ଜାଣିଛନ୍ତି ସ୍କୁଲ ଟିମରେ ଗୋଲ୍ କିପର ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ବେଦନଶୀଳ ସମୟରେ ଭାରତୀୟ ହକିର ହାତ ଧରିଥିଲେ ।

ସାହାରା ଯେତେବେଳେ ହକିର ପ୍ରାୟୋଜକରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା । ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତା ସବୁଠାରୁ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନନ୍ଦିତ କରିଛି । ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ଖେଳାଳି ମାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ନବୀନ ।

ସେପଟେ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ବିଜୟ ପରେ ଚାରିଆଡ଼େ ଉତ୍ସବର ମାହୋଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଳି ମାନେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ୪୧ ବର୍ଷ ପରେ ଭାରତର ଐତିହାସିକ ବିଜୟକୁ ନେଇ ସମସ୍ତେ ଖୁସି ମନାଉଛନ୍ତି । ୪୧ବର୍ଷ ପରେ ଭାରତୀୟ ହକି ଦଳର ଏହି ଚିତାକର୍ଷକ ବିଜୟକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତର ବିଜୟ ପରେ ହକି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସହ ମୁଖ୍ୟ କୋଚ ଓ ସହଯୋଗୀ କୋଚଙ୍କ ସହ କଥା ହୋଇଛନ୍ତି । ପ୍ରାୟ ଅଢେଇ ମିନିଟ ଧରି ମୋଦୀ କଥା ହୋଇଥିବା ବେଳେ ଭାରତକୁ ବ୍ରୋଂଜ ମେଡାଲ ଆଣି ଦେଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।