ପୋଲିସ ପଞ୍ଝାରେ ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗ : ୪ ଦୁର୍ବୃତ୍ତ ଗିରଫ ପରେ ସାମ୍ନାକୁ ଆସିଲା ଗ୍ୟାଙ୍ଗର କାରନାମା

389

କନକ ବ୍ୟୁରୋ : ରାଜଧାନୀରେ ଆତଙ୍କ ଖେଳାଇଥିବା ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗକୁ ବାନ୍ଧିଲା କମିସନରେଟ ପୋଲିସ । ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗ୍ୟାଙ୍ଗ ଲିଡର ସନ୍ତୋଷ ନାୟକ ଓ ତାର ତିନି ସହ ଯୋଗୀଙ୍କୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଶହ ଗ୍ରାମ ଓଜନର ୩୦ଟି ସୁନା ଚେନ, ୩ଟି ସ୍ପିଡ ବାଇକ, ଦୁଇଟି ବ୍ଲାକ ଜାକେଟ ସହ କିଛି କାଗଜପତ୍ର ଜବତ କରିଛି ।

କିଛି ଦିନ ହେଲା କଳା କପଡା ପିନ୍ଧି କିଛି ଯୁବକ ଭୁବନେଶ୍ୱରରେ ବୁଲି ବୁଲି ଅପରାଧ କରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିଲେ । ମୁଖ୍ୟତଃ ମହିଳାଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରି ସୁନା ଚେନ ଲୁଟିନେଉଥିଲେ । ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଗ୍ୟାଙ୍ଗର କାରନାମ ସାମ୍ନାକୁ ଆସୁଛି । ରାଜଧାନୀର ବିଭିନ୍ନ ସ୍ଥାନରୁ ସୁନା ଚେନ ଲୁଟ କରିବା ପରେ ସେହି ସୁନାକୁ ଗୋଲଡ ଲୋନ ସଂସ୍ଥାରେ ସୁନା ବନ୍ଧକ ପକାଇ ଟଙ୍କା ଆଣୁଥିଲେ ।

ସଂପର୍କୀୟଙ୍କୁ ଢାଲ କରି ଜାଲକାଗଜପତ୍ର ଦେଇ ଗୋଲଡ ଲୋନ ସଂସ୍ଥାରେ ସୁନା ବନ୍ଧକ ରଖୁଥିଲେ । ପୋଲିସ ଆଗରେ ଅଭିଯୁକ୍ତ ଏହା ସ୍ୱୀକାର କରିବା ପରେ ଗୋଲଡ ଲୋନ ସଂସ୍ଥାରେ ଚଢାଉ କରି ପୋଲିସ ସୁନା ଗହଣା ସିଜ୍ କରିଛି । ଗିରଫ ୩ ଅଭିଯୁକ୍ତଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ଜଣାପଡିଛି ।