ଲୋୟର ପିଏମଜିରେ ବିକ୍ଷୋଭ ବେଳେ ପୋଲିସ ଉପରକୁ ଆକ୍ରମଣ : ରକ୍ତମୁଖା ହେଲେ ବିଜେପି ଯୁବମୋର୍ଚ୍ଚା କର୍ମୀ; ପୋଲିସ ସୂତ୍ରରୁ ସାମ୍ନାକୁ ଆସିଲା ଭିଡିଓ

84

କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱର ଲୋୟର ପିଏମ୍ଜିରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀ । ରାଜ୍ୟରେ ଅପରାଧ ବଢିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ହଜାର ହଜାର ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଚେଷ୍ଟା କରିବାରୁ ଅଟକାଇବାକୁ ଉଦ୍ୟମ କରିଥିଲା ପୁଲିସ । ଏହାକୁ ନେଇ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଲୋୟର ପିଏମ୍ଜି । ବିକ୍ଷୋଭକାରୀଙ୍କୁ ଗହଳି ଭିତରୁ ପୋଲିସ ଉପରକୁ ଟେକା, ଅଣ୍ଡା, ଜୋତା, ପାଣିପାଉଚ୍ ମାଡ ହୋଇଥିଲା । କିଛି ବିକ୍ଷୋଭକାରୀ ପାଖରେ ଥିବା ପୋଲିସ ଗାଡିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା ।

ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨୧ ଜଣ ପୋଲିସ ଆହତ ହୋଇଛନ୍ତି । ଟେକା ପଥର ମାଡରେ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି, କାହାର ଆଘାତ ଲାଗିଛି । ଉତ୍ୟକ୍ତ ଆନ୍ଦୋଳନକାରୀ ପୁଲିସ କର୍ମଚାରୀଙ୍କୁ ଗଡେଇ ତଡେଇ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ସେହିପରି ପୋଲିସ ମାଡରେ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି । ବିଜେପି ନେତା କହିଛନ୍ତି ଯେ, ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ହେବ ।