ଇରାଶିଷଙ୍କୁ କାଉଣ୍ଟର ଟାର୍ଗେଟ କଲା ବିଜେଡି । ଚିନ୍ମୟ ସାହୁ କହିଲେ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଜଣେ ଅଭ୍ୟାସଗତ ଅପରାଧୀ ।

134

କନକ ବ୍ୟୁରୋ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ରାଜ୍ୟ ବିଜେପିର ଯୁବ ମୋର୍ଚ୍ଚା ସଭାପତିଙ୍କୁ କାଉଣ୍ଟର ଟାର୍ଗେଟ କରିଛି ଶାସକ ବିଜେଡି । ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହିତ ଇରାଶିଷଙ୍କ ଉପରେ ବର୍ଷିଛନ୍ତି । ତାଙ୍କ କହିବା କଥା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଭଳି ବିଜେପି ଯୁବ ମୋର୍ଚ୍ଚାର ସଭାପତି ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ଉଭୟ ଜୟ ନାରାୟଣ ଓ ଇରାଶିଷ ଅପରାଧୀ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ତେବେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଜେଲ୍ ଯାଇ ଆସିଛନ୍ତି । ଆଉ କ୍ରମାଗତ ଭାବରେ ସେ ଆଇନକୁ ହାତକୁ ନେଇଛନ୍ତି । ଅତୀତରେ ଜୟ ନାରାୟଣଙ୍କଠାରୁ ଚପଲ ମାଡ ଖାଇ ଲହୁ ଲୁହାଣ ହୋଇଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏଭଳି ଅଭ୍ୟାସଗତ ଅପରାଧୀଙ୍କୁ ଧରି ସେ କେମିତି କାମ କରୁଛନ୍ତି ବୋଲି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ପ୍ରେସମିଟ୍ କରି ବିଜେଡି ଉପରେ ବର୍ଷିଥିଲେ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ନବଦାସଙ୍କ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେପି ଯୁବମୋର୍ଚ୍ଚା । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀରବ ଅଛନ୍ତି । ଏହି ପ୍ରସଙ୍ଗକୁ ନେଇ ଯୁବମୋର୍ଚ୍ଚା ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ । ଆଜିଠାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ ହେବ ବୋଲି ଇରାଶିଷ କହିଥିଲେ ।