ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର । କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ମତଦେଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । କହିଲେ, ରତ୍ନଭଣ୍ଡାରରେ କଣ ରହିଛି ଲୋକଙ୍କ ଭିତରେ ରହିଛି ସନ୍ଦେହ ।

163

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗିଲାଣି । ଏପରି ସମୟରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଛତିଶଗଡ ରାଜ୍ୟପାଳ । କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହି ଦାବି ଉଠାଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । କହିଛନ୍ତି ରତ୍ନଭଣ୍ଡାରରେ କ’ଣ ଅଛି, ତାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ଓଡିଆଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର ।

  • ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ସରକାର  
  • ଦାବି କଲେ ଛତିଶଗଡ ରାଜ୍ୟପାଳ

ଛତିଶଗଡ ରାଜ୍ୟପାଳଙ୍କ ଦାବି ପରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ରତ୍ନଭଣ୍ଡାର ସଂପର୍କିତ ମାମଲା ଏବେ ନ୍ୟାୟାଳୟରେ ବିଚାରଧୀନ ରହିଛି । ତେଣୁ ରତ୍ନଭଣ୍ଡାର ପ୍ରସଙ୍ଗରେ ବିଚାରବିମର୍ଶ କରିବା ଠିକ ହେବ ନାହିଁ । ତେବେ ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ମଧ୍ୟ ଅନେକ ବାଦ ବିବାଦ ହୋଇଛି ।

  • ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂପର୍କିତ ମାମଲାର ଶୁଣାଣି ଶେଷ କରି କୌଣସି ଅଭିଯୋଗ ଥିଲେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି 
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ 
  • ମାମଲାର ପରବର୍ତି ଶୁଣାଣି ଜୁଲାଇ ୧୦ ତାରିଖରେ ହେବ 
  • ରତ୍ନଭଣ୍ଡାର ଖୋଲିବା ପାଇଁ ୨୦୨୨ରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସାରିଛି  

ରତ୍ନଭଣ୍ଡାରକୁ ନେଇ କମିସନ ପରେ କମିସନ ବସିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ବିରୋଧୀଙ୍କ ଅଭିଯୋଗ, ଜଗନ୍ନାଥପ୍ରେମୀଙ୍କ ଆନ୍ଦୋଳନ ସତ୍ୱେ ରତ୍ନଭଣ୍ଡାରରେ କ’ଣ ଅଛି ତାହା ରହସ୍ୟ ହୋଇ ରହିଛି । ଆଉ ଏବେ ରଥଯାତ୍ରାକୁ ହାତ ଗଣତି ଦିନ ଥିବା ବେଳେ ଛତିଶଗଡ ରାଜ୍ୟପାଳଙ୍କ ଦାବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି ।