ଅଧିକ ରୋଜଗାର କରିବାକୁ ସୋସିଆଲ ମିଡିଆରେ ଲୋଭ ଦେଖାଉଛନ୍ତି ଠକ: ହ୍ୱାଟସଆପ. ଫେସବୁକ ଜରିଆରେ ଦେଉଛନ୍ତି ମେସେଜ୍ 

157

କନକ ବ୍ୟୁରୋ: ଘରେ ବସି ରୋଜଗାରର ଲୋଭ । ଅଧିକ ଟଙ୍କା ରୋଜଗାରର ଇଚ୍ଛା । ଆଉ ଶେଷରେ ଠକେଇର ଶିକାର । ଲୋଭ ଦେଖାଇ ଠକ ଠକି ନେଉଛନ୍ତି ଟଙ୍କା । ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ଲୋକେ । ଲୋକଙ୍କ ମୋବାଇଲ୍କୁ ଆସୁଛି ଫୋନ୍ ଓ ମେସେଜ୍ । ଘରି ବସି ଟଙ୍କା ରୋଜଗାର କରିବାର ଲୋଭ ଦେଖାଯାଉଛି । କୁହାଯାଉଛି, ଆପଣଙ୍କ ପାଖରେ ଯଦି ସ୍ମାର୍ଟ ଫୋନ୍ ଅଛି ଆପଣ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ କେବଳ ଭିଡିଓ ଦେଖିବା ସହ ଲାଇକ୍ ଓ କମେଂଟ କରିବାକୁ ପଡ଼ିବ । ଏପରି ଲୋଭ ଦେଖାଇ ହ୍ୱାଟ୍ସଆପ୍କୁ ମେସେଜ୍ ପଠାଇବା ସହ ଫେସ୍ବୁକ୍ରେ ପୋଷ୍ଟ କରୁଛନ୍ତି ସାଇବର ଠକ । ଆଉ ଏପରି ଲୋଭର ବଶବର୍ତୀ ହୋଇଯାଉଛନ୍ତି ଅନେକ ଲୋକ । ଆଉ ଠକ ଠକି ନେଉଛି ଲକ୍ଷ ଲକ୍ଷ ଟଙ୍କା । ଗତ ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ସାଇବର ଥାନାରେ ଏପରି ୫ଟି ମାମଲା ରୁଜୁ ହୋଇଛି । ରାଜଧାନୀ ଭୁବନେଶ୍ୱରରୁ ଏପରି ଢଙ୍ଗରେ କୋଟି କୋଟି ଟଙ୍କା ଠକି ସାରିଲେଣି ସାଇବର ଠକ ।

– ପାର୍ଟ ଟାଇମ୍ ଚାକିରି ନାଁରେ ଫେସ୍ବୁକ୍ରେ ପୋଷ୍ଟ କରାଯାଉଛି

– ସେଥିରେ ଥିବା ଫୋନ୍ ନମ୍ବରରେ ଯୋଗାଯୋଗ ପାଇଁ କୁହାଯାଉଛି

– ଫୋନ୍ ନମ୍ବରରେ ଯୋଗାଯୋଗ ପରେ ଏକାଧିକ ଟେଲିଗ୍ରାମ୍ ଗ୍ରୁପ୍ରେ ଆଡ୍ କରାଯାଉଛି

– ଭିଡିଓ ଦେଖିବା ସହ ଲାଇକ୍, କମେଂଟ କରିବାକୁ କୁହାଯାଉଛି

– ଅଧିକ ରୋଜଗାରର ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

– ଟେଲିଗ୍ରାମ୍ ତିଆରି କରାଯାଇ ଏପରି ଠକେଇ କରାଯାଉଛି

– ଏପରି ଠକେଇକୁ ‘ଟେଲିଗ୍ରାମ୍’ ଠକେଇ ବୋଲି କୁହାଯାଉଛି

– ଠକମାନେ ମହିଳା, ଯୁବପିଢି ଓ ଅବସରପ୍ରାପ୍ତ ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍