ଭାରତରୁ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ପାକିସ୍ତାନ ବିଛାଇଛି ହନିଟ୍ରାପର ଜାଲ : ରାୱଲପିଣ୍ଡିରେ ସୁନ୍ଦରୀ ଯୁବତୀଙ୍କୁ ତାଲିମ ଦେଉଛି ଆଇ.ଏସ.ଆଇ, ଓଡ଼ିଶା ଯାଏଁ ଲମ୍ବିଛି ଚେର

279

କନକ ବ୍ୟୁରୋ : ପାକିସ୍ତାନୀ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବାହିନୀର ଗୋପନ ତଥ୍ୟ ପ୍ରଦାନ କରିବା ମାମଲାରେ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏଟିଏସ୍ । ପାକିସ୍ତାନର ଜଣେ ମହିଳା ଏଜେଂଟ ପ୍ରଦୀପଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରଦୀପ ତାଙ୍କ ସହିତ ହ୍ୱାଟ୍ସଆପ୍, ଭଏସ୍ କଲ ଓ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ମହିଳା ଜଣଙ୍କ ତାଙ୍କ ପରିଚୟ ଜାରା ଦାସଗୁପ୍ତା ବୋଲି ଦେଇଥିଲେ । ସେ ବ୍ରିଟେନର ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା କହିଥିଲେ । ପ୍ରଦୀପ ତାଙ୍କୁ ବ୍ରହ୍ମୋସ, ଅଗ୍ନିକ୍ଷେପଣାସ୍ତ୍ର ସମେତ ରୁସ୍ତମ ଡ୍ରୋନ୍, ମେଂଟର ମିସାଇଲ, ରାଫେଲ ସିଷ୍ଟମ ସହ ଜଡ଼ିତ ଅନେକ ଗୋପନ ତଥ୍ୟ ସେୟାର କରିଥିଲେ । ମହାରାଷ୍ଟ୍ର ଏଟିଏସ୍ ତାଙ୍କୁ ୨୦୨୩ ମେ’ ୩ରେ ଗିରଫ କରିଥିଲା ।

ପ୍ରଦୀପ କୁରୁଲକରଙ୍କ ପରି ଅନେକ ହନିଟ୍ରାପ୍ରେ ଫସି ଅତ୍ୟନ୍ତ ଗୋପନୀୟ ତଥ୍ୟକୁ ସେୟାର କରିଛନ୍ତି । ହେଲେ ଏହି ହନିଟ୍ରାପ୍ କ’ଣ ଓ ତାହାକୁ ପାକିସ୍ତାନ କିପରି ପରିଚାଳନା କରୁଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପାକିସ୍ତାନର ସେନା ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି । ସେଠାରେ ଫତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟ ରହିଛି । ସେହିଠାରେ ହିଁ ହନିଟ୍ରାପ୍ ପାଇଁ ବଛାଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଏ । ୨୦୧୯ରେ ଯେତେବେଳେ ପ୍ରଥମ ଥର ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା, ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ହନିଟ୍ରାପର ତାଲିମ କେନ୍ଦ୍ର ରାୱଲପିଣ୍ଡି

– ହନିଟ୍ରାପ୍ ଶବ୍ଦ ୧୯୪୭ରେ ବ୍ରିଟିଶ ଲେଖକ ଜନ ଲେ କେରି ତାଙ୍କ ଗୁଇନ୍ଦା ଉପନ୍ୟାସରେ ଲେଖିଥିଲେ
– ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିଶ୍ୱର ପ୍ରଥମ ହନିଟ୍ରାପ୍ ମାମଲା ସାମ୍ନାକୁ ଆସିଥିଲା
– ମାତା ହାରି ଫ୍ରାନ୍ସ ସୈନିକଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଇଥିଲେ
– ଭାରତରେ ଏଭଳି ଘଟଣା ପ୍ରଥମେ ୧୯୮୦ ମସିହାରେ ସାମ୍ନାକୁ ଆସିଥିଲା
– ଗୁଇନ୍ଦା ସଂସ୍ଥା ‘ର’ର ଅଧିକାରୀ କେବି ଉନ୍ନିକୃଷ୍ଣନ ହନି ଟ୍ରାପର ଶିକାର ହୋଇଥିଲେ

କିଛି ଦିନ ତଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହନିଟ୍ରାପରେ ଫସିଥିଲେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସିନିୟର ଟେକ୍ନିକାଲ ଅଫିସର ବାବୁରାମ ଦେ । ସେ ଯୁବତୀ ବୋଲି ଭାବି ଯାହାଙ୍କ ସହ ଚାଟିଂ କରୁଥିଲେ ପ୍ରକୃତରେ ସେ ଥିଲେ ଆଇଏସ୍ଆଇର ପୁରୁଷ ଏଜେଂଟ ଥିଲେ । ପାକିସ୍ତାନର ଆଇଏସ୍ଆଇ୍ ସଂସ୍ଥା ବାବୁରାମଙ୍କ ଜରିଆରେ ପ୍ରତିରକ୍ଷା ଗୁପ୍ତତଥ୍ୟ ହାସଲ କରିବା ପାଇଁ ବିଛାଇଥିଲା ମାୟାଜାଲ । ରାୱଲପିଣ୍ଡିରେ ରହି ଫେସବୁକରେ ହାଇଦ୍ରାବାଦର ପ୍ରିୟା ନାମକ ଜଣେ ଛାତ୍ରୀଙ୍କ ନାଁରେ ଆସିଥିଲା ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ । ବାବୁରାମ ଯୁବତୀଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଗ୍ରହଣ କଲାପରେ ଛାତ୍ରୀଜଣକ ମେସେଜ୍ ମାଧ୍ୟମରେ ପ୍ରଥମେ ବାର୍ତାଳପ ଆରମ୍ଭ କରି ନିଜକୁ ହାଇଦ୍ରାବାଦର ଜଣେ ଇଞ୍ଜନିୟରିଂ ଛାତ୍ରୀ ଭାବେ ପରିଚୟ ଦେଇଥିଲେ । ପରେ ଉଭୟଙ୍କର ସମ୍ପର୍କ ଆଗକୁ ବଢ଼ିଥିଲା ।

ଏପଟେ ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଂଟଙ୍କ ସହ ଆର୍ଥିକ କାରବାରର ଲିଙ୍କ । ଭୁବନେଶ୍ୱରରେ ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍ । ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି । ତେଣୁ ଆତଙ୍କୀଙ୍କ ସହ ସଂପର୍କ ସନ୍ଦେହରେ ଏସିଟିଏଫ ଗୁଡେଇ ତୁଡେଇ ପଚରା ଉଚରା କରୁଛି । ଆଜି ଅଭିଜିତକୁ ଏନଆଇଏ ଜେରା କରିବେ ବୋଲି ଜଣାପଡିିଛି ।