ସିବିଆଇ ହାତକୁ ଗଲା ମଣିପୁର ମାମଲା । ମହିଳାଙ୍କୁ ବିବସ୍ତ୍ର ଘଟଣାର ହେବ ତଦନ୍ତ, କେନ୍ଦ୍ର ଗୃହମନ୍ତ୍ରାଳୟର ନିଷ୍ପତ୍ତି

119

କନକ ବ୍ୟୁରୋ : ମଣିପୁର । ହିଂସା, ଉତେଜନା, ପ୍ରତିବାଦ, ହତ୍ୟା, ଲୁଟପାତରେ ଥରୁଛି । ଦୁଇମାସରୁ ଅଧିକ ସମୟ ହେବ ରାଜ୍ୟରେ ଯେଉଁ ସ୍ଥିତି ଜାରି ରହିଛି ତାହା ସବୁଠି ଚର୍ଚ୍ଚା ସାଉଁଟୁଛି । ଏହା ଭିତରେ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ମଣିପୁରରେ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଘଟଣାର ହେବ ସିିବିଆଇ ତଦନ୍ତ ଏନେଇ ଗୁରୁବାର ଗୃହମନ୍ତ୍ରାଳୟ ସୂଚନା ଦେଇଛି । ହିଂସାଗ୍ରସ୍ତ ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣା ସାମ୍ନାକୁ ଆସିବାପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସଡକଠୁ ସଂସଦ ସବୁଠି ହଇଚଇ ସୃଷ୍ଟି ହୋଇଥିଲା । ସଂସଦରେ ବିରୋଧୀ ସରକାରଙ୍କୁ ମଣିପୁର ହିଂସା ଘଟଣାର ଜବାବ ମାଗିବା ସହ ପ୍ରତିବାଦ, ଧାରଣାରେ ବସିଛନ୍ତି । ଘଟଣାକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବିରୋଧ ଜାରି ରହିଥିବାବେଳେ ବର୍ତମାନ ସିବିଆଇ ହାତକୁ ତଦନ୍ତ ଭାର ଯାଇଛି ।

ସିବିଆଇ ହାତକୁ ମାମଲା ଆସିବା ପରେ ତଦନ୍ତ ପ୍ରକିୟା ଜୋରଦାର କରାଯାଇଛି । ଦିନକ ମଧ୍ୟରେ ୧୦ଜଣ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଥିସହ ଯେଉଁ ବ୍ୟକ୍ତିଙ୍କ ଏହି ଭିଡିଓ ଭାଇରାଲ କରିଥିଲେ ତାଙ୍କୁ ଗିରଫ କରାଯାଇଛି । ଜବତ ମୋବାଇଲକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ସେପଟେ ଜୁଲାଇ ୨୯ ଓ ୩୦ ତାରିଖରେ ବିରୋଧୀ ମେଂଟର ଏକ ପ୍ରତିନିଧି ଦଳ ମଣିପୁର ଗସ୍ତ କରିବ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ମଣିପୁରରେ ଏବେ ଗୁଳିଫୁଟା ଶଦ୍ଧ ସହ ସକାଳ ହେଉଛି । ବଂଚିବା ପାଇଁ ଦିନତମାମ ସଂଘର୍ଷ ଓ ମୃତ୍ୟୁ ଆତଙ୍କରେ ରାତି ପାହୁଛି । ମେ ୩ ତାରିଖଠୁ ରାଜ୍ୟରେ ଜାତିଆଣା ହିଂସାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି । ସାଧାରଣ ଜନତାଙ୍କ ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ହେଉଛି । ଏହା ଭିତରେ ମଣିପୁର ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଉଠୁଛି ପ୍ରଶ୍ନ । ସେପଟେ ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ଜଣାପଡ଼ିଛି ।