ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିର୍ମାଣ କରିବେ ‘ଅଟଳବିହାରୀ ମେମୋରିଆଲ’ ! ଭାରତରତ୍ନ ବାଜପେୟୀଙ୍କୁ ମନେ ରଖିବ ସାରା ଦେଶ

33

କନକ ବ୍ୟୁରୋ : ରାଜଧର୍ମ ପାଳନ କ୍ଷେତ୍ରରେ ଅନନ୍ୟ ରାଷ୍ଟ୍ରନେତା, ବହୁ ବିଲକ୍ଷଣ ପ୍ରତିଭାର ଧନୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ହରାଇ ଆଜି ଭାରତର ୧୨୫ କୋଟି ଲୋକ ଶୋକାଭିଭୂତ । ସଂକୀର୍ଣ୍ଣ ରାଜନୀତି ଊର୍ଧ୍ୱରୁ ଉଠି ସେ ସମସ୍ତଙ୍କୁ ନିଜର କରି ପାରିଥିବାରୁ ଆଜି ଦେଶର ଏହି ସୁଯୋଗ୍ୟପୁତ୍ରଙ୍କୁ ହରାଇ ମର୍ମାହତ । ଆଉ କେତୋଟି ଘଣ୍ଟା ପରେ ଅଟଳବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯିବ । ଆଉ ପ୍ରତ୍ୟେକ ଭାରତୀୟ ତାଙ୍କୁ ତାଙ୍କ ଅନ୍ତିମ ଯାତ୍ରାରେ ବେଦନନାସିକ୍ତ ଅନ୍ତରରେ ବିଦାୟ ଦେବେ।  ମାତ୍ର ଭାରତୀୟ ରାଜନୀତିକୁ ଏକ ନୂତନ ଦିଗଦର୍ଶନ ଦେବା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ, ଭାରତର ଅସ୍ମିତାକୁ ବିଶ୍ୱଦରବାରରେ ପ୍ରତିପାଦିତ କରିବା କ୍ଷେତ୍ରରେ ତାଙ୍କର ନିଷ୍ଠା, ସର୍ବୋପରି ସମଗ୍ର ବିଶ୍ୱରେ ଭାରତକୁ ଶ୍ରେଷ୍ଠତ୍ୱ ପ୍ରଦାନ କ୍ଷେତ୍ରରେ ତାଙ୍କର ନିରନ୍ତର ଉଦ୍ୟମକୁ କୃତଜ୍ଞ ରାଷ୍ଟ୍ର ସବୁଦିନ ମନେ ରଖିବ। ତେବେ ଆଗାମୀ ପୀଢ଼ି, ଯେଉଁମାନେ ବର୍ତ୍ତମାନ ଶିଶୁ ଅଥବା ଭବିଷ୍ୟତର ଦାୟାଦ ଭାବେ ଭାରତର ଗାରମା ବୃଦ୍ଧିରେ ସହାୟକ ହେବେ, ସେମାନଙ୍କୁ ଅଟଳବିହାରୀ ବାଜପେୟୀଙ୍କ ଅବଦାନ ସହିତ ସମ୍ପର୍କିତ କରିବା ପାଇଁ ସରକାର ଅଟଳବିହାରୀ ମେମୋରିଆଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

 

ଆଜି ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପ୍ରଚଣ୍ଡ ବକ୍ତା, ଔଜସ୍ୱୀ କବି, ସ୍ଥିତିପ୍ରଜ୍ଞ ରାଷ୍ଟ୍ରନେତା, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତମ ସଂସ୍କାର ଅନୁଷ୍ଠିତ ହେବ। ତେବେ ଶ୍ରୀ ବାଜପେୟୀଙ୍କ ରାଷ୍ଟ୍ର ଗଠନରେ ଅବଦାନକୁ ଆଖିଆଗରେ ରଖି ନରେନ୍ଦ୍ର ମୋଦି ସରକାର ଅଟଳବିହାରୀ ବାଜପେୟୀ ମେମୋରିଆଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଅଟଳଜୀ ଜଣେ ଅଦ୍ୱିତୀୟ ରାଷ୍ଟ୍ରନେତା ଥିଲେ। ତେଣୁ ଦେଶ ସେବାରେ ତାଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ସ୍ମୃତିରେ ନିଶ୍ଚିତ ଭାବେ କିଛି ହେବା ଜରୁରି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଯଦିଓ ଏ ନେଇ ସରକାରୀ ଭାବେ ନିଦ୍ଦିଷ୍ଟ ସୂଚନା ମିଳି ନାହିଁ , ତଥାପି ସ୍ମୃତିସ୍ଥଳର କିଛି ଅଂଶ ଅଟଳବିହାରୀ ବାଜପେୟୀଙ୍କ ମେମୋରିଆଲ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ବାଜପେୟୀଙ୍କ ପାର୍ଥିବ ଶରୀର ନିଜ ବାସଭବନରୁ ବାହାରିବା ପୂର୍ବରୁ ସେଠାରେ ଅନେକ ନେତାମାନେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।