ଦିଲ୍ଲୀ ସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର । ବିଜେପି ମୁଖ୍ୟାଳୟ ଅଭିମୁଖେ ଯାତ୍ରା, ଆଜି ହେବ ଅନ୍ତିମ ସଂସ୍କାର

28

କନକ ବ୍ୟୁରୋ: ଚିରନିଦ୍ରାରେ କୋଟି କୋଟି ଭାରତୀୟଙ୍କ ଜନନେତା ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀ । ରାତି ସାରା ଅଟଳଙ୍କ ପାର୍ଥୀବ ଶରୀରର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କୁ ଭଲ ପାଉଥିବା ମଣିଷ । ଏହାପରେ ତାଙ୍କ ମର ଶରୀରରକୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ନିଆଯାଇଛି । ସେଠାରେ ଦଳୀୟ ନେତା, କର୍ମୀ, ସମର୍ଥକମାନେ ତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିବେ । ଦିନ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅପରାହ୍ନ ୪ଟାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।

ବାଜପେୟୀଙ୍କ ବିୟୋଗ ପରେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଏହା ସହ ଭାରତୀୟ ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଛି । ଦେଶ ଜଣେ ମହାନ ରାଷ୍ଟ୍ରନାୟକ ତଥା ଜଣେ ଲୋକପ୍ରିୟ ଜନନେତାଙ୍କୁ ହରାଇଛି । ଗତ ସଂଧ୍ୟାରେ ଏହି ଖବର ଆସିବା ପରେ ଥମିଯାଇଛି ସାରା ଦେଶ, ସ୍ତବ୍ଧ ହୋଇଯାଇଛନ୍ତି ଦେଶବାସୀ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଜକେଇ ଆସିଛି ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଅଟଳ ବିହାରୀ ଅମର ରହେ ।

ସଂଧ୍ୟା ୫ ଟା ୫ ମିନିଟ୍ରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଗତକାଲି ରାତିସାରା ଅନ୍ତିମ ଦର୍ଶନ କରିଥିଲେ ତାଙ୍କ ଭଲପାଉଥିବା ମଣିଷ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦେଶର ଅନେକ ତୁଙ୍ଗନେତା, ବାଜପେୟୀଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।