ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଖୋଲିବ କି ଷଡଯନ୍ତ୍ରର ଗୁମର !

242

କନକ ବ୍ୟୁରୋ : ତଦନ୍ତଭାର ହାତକୁ ନେବା ପରେ ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି ସିବିଆଇର ୧୦ ଜଣିଆ ଟିମ୍ । ଏତେବଡ଼ ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ହେରଫେର ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହାପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏନେଇ ଆଇପିସି ଓ ରେଳବାଇ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ସିବିଆଇ ।

ସିବିଆଇ ଏଫଆଇଆର: ଆଇପିସିର ଦଫା
୩୩୭- ଜୀବନ ପ୍ରତି ବିପଦ ଆଣିବା
୩୩୮- ଗଭୀର ଆଘାତ ଦେଇ ଜୀବନକୁ ବିପଦରେ ପକାଇବା
୩୦୪ (ଏ)- ଅବହେଳାରୁ ମୃତ୍ୟୁ
୩୪- ମିଳିତ ଭାବେ ଅପରାଧ ଘଟାଇବା

ସିବିଆଇ ଏଫଆଇଆର: ରେଳବାଇ ଆଇନରେ ଦଫା
୧୫୩- ଉଦ୍ଦେଶ୍ୟମୂଳକ ଭାବେ ରେଳଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା
୧୫୪- ଅବହେଳାରୁ ରେଳ ଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲିଦେବା
୧୭୫- ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା

ରେଳ ଦୁର୍ଘଟଣା ପାଇଁ କିଏ କରିଛି ଷଡ଼ଯନ୍ତ୍ର? ଖୋର୍ଦ୍ଧାରୋଡ୍ ଡିଭିଜନର ଡିଆରଏମ୍ କହିଥିଲେ ସିଗନାଲ ବ୍ୟବସ୍ଥାକୁ କ୍ଷତି ପହଂଚାଯାଇଛି । ବାହାନଗା ବଜାର ଷ୍ଟେସନ ମାଷ୍ଟର କହିଛନ୍ତି ପ୍ଲାଟଫର୍ମ ୨ରେ ଗ୍ରୀନ୍ ସିଗନାଲ ଦେଇଥିଲେ । ଲୁପ୍ ଲାଇନ୍ରେ କେମିତି ଟ୍ରେନ୍ ଗଲା ସେ ଜାଣି ନାହାଁନ୍ତି । ତେଣୁ ଘଟଣାଦିନ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ କେମିତି ଦିଆଗଲା ତାକୁ ନେଇ କେତେକ ଥିଓରୀ ଏବେ ସାମ୍ନାକୁ ଆସୁଛି ।

ସିବିଆଇ ଖୋଲିଦେବ ଷଡ଼ଯନ୍ତ୍ର ଗୁମର!
ଥିଓରୀ-୧
– ବାହାନଗା ରେଳଦୁର୍ଘଟଣା ପୂର୍ବରୁ ଷ୍ଟେସନର ଇଂଟରଲକିଂ ସିଷ୍ଟମରେ କିଛି ତ୍ରୁଟି ହୋଇଥିଲା କି?
ଥିଓରୀ-୨
– ଦୁର୍ଘଟଣା ଘଟାଇବା ପାଇଁ ଜାଣିଶୁଣି ସିଷ୍ଟମ୍ର ପ୍ରୋଗ୍ରାମିଂରେ କୌଣସି କାରସାଦି କରାଯାଇଛି କି?
ଥିଓରୀ-୩
– ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରାକ୍ ପରିବର୍ତ୍ତନ ଓ ସିଗନାଲ୍ ଦେବାରେ କିଛି ତ୍ରୁଟି ରହିଗଲା କି?

୨୦୨୦ ମସିହା ମେ’ ମାସ ୨୮ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଲୋକମାନ୍ୟ ତିଲକ ଜ୍ଞାନେଶ୍ୱରୀ ଏକ୍ସପ୍ରେସ । ରେଳ ଧାରଣାରୁ ମାଓବଦୀମାନେ ଫିସପ୍ଲେଟ୍ କାଢି ନେବାରୁ ମହାରାଷ୍ଟ୍ର କୁର୍ଲା ଅଭିମୁଖେ ଯାଉଥିବା ଟ୍ରେନ୍ ଦୁର୍ଘଟଣାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ ଆହତ ହୋଇଥିଲେ । ଦୀର୍ଘ ୧୩ ବର୍ଷ ପରେ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ଚାଲିଛି । ତେଣୁ ବାହାନଗା ଟ୍ରେନ ଦୁର୍ଘଟଣାର ଷଡଯନ୍ତ୍ର ଓ ଅନ୍ତର୍ଘାତୀ କାର୍ଯ୍ୟକଳାପକୁ ନେଇ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।