ନାମାଙ୍କନ ଦାଖଲ ପରେ ଜୋରଦାର ପ୍ରଚାର କରୁଛନ୍ତି ବିଭିନ୍ନ ଦଳ ପ୍ରାର୍ଥୀ ।

59

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଚିତ୍ରକୋଣ୍ଡାରେ ଜମୁଛି ପ୍ରଚାର । ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ବିଜେପି ବିଧାୟକ ପ୍ରାର୍ଥୀ ଡମ୍ବୁରୁ ଶିଶା ସମର୍ଥକଙ୍କ ସହ ଗାଁ ଗାଁ ବୁଲିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶର କଥା କହି ଭୋଟ ଭିକ୍ଷା କରୁଛନ୍ତି । ଅନ୍ୟପଟେ କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଏକ ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ବାଇକ୍ ରାଲି କରିଛନ୍ତି । ଚିତ୍ରକୋଣ୍ଡା ବଜାରରେ ପହଁଚି ଅଂଚଳର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କୁ କହିଛନ୍ତି ।

ମାଲକାନଗିରିରେ ପ୍ରାର୍ଥୀପତ୍ର ଦାଖଲ ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ । ହଜାର ହଜାର ସମର୍ଥକଙ୍କ ସହ ସହରରେ ଶୋଭାଯାତ୍ରା କରିଛନ୍ତି । ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟର ପାରମ୍ପରିକ ନାଚ ଗିତ ସହ ନାଚ ଗୀତ ମାଧ୍ୟମରେ ପ୍ରଚାର କରିଛନ୍ତି ଏବଂ ରାଲିରେ ଯାଇ ନିଜର ନାମାଙ୍କନ ଭରିଛନ୍ତି ନରସିଂହ । ଅଂଳଚରେ ଶିକ୍ଷା, ପାଣି, ଜଳସେଚନ ଭଳି ଅନେକ ସମସ୍ୟା ଥିବା ବେଳେ ଏହାକୁ ମୁଦ୍ଦା କରି ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ସେହିପରି ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ଚାଲିଛି ପ୍ରଚାର । ବୋରିଗୁମା ବ୍ଲକର ମାଆ ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ଇନ୍ଦିରା ନନ୍ଦ । ଜୟପୁରରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଇନ୍ଦିରାଙ୍କ ସହ ପ୍ରଚାର କରିଛନ୍ତି କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା । ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ତାରା ପ୍ରସାଦ ବାହିନୀପତି ଓ ବିଜେପିର ଗୌତମ ସାମନ୍ତରାୟଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ । ସେହିପରି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା ଓ ବିଜେପିର କାଳିରାମ ମାଝୀ ।