ପଦ୍ମପୁର ଉପନିର୍ବାଚନ ପାଇଁ ୩ ରାଜନୈତିକ ଦଳର ପ୍ରାର୍ଥୀ ତୟାର: ଶୋଭାଯାତ୍ରା ଆସି ଶକ୍ତି ପ୍ରଦର୍ଶନ କଲେ ପ୍ରଦୀପ ପୁରୋହିତ

247

କନକ ବ୍ୟୁରୋ: ବିଜେପିର ପ୍ରାର୍ଥୀ ପ୍ରସ୍ତୁତ ଥିଲେ, ଦଳୀୟ ନେତା ଓ କର୍ମୀ ପ୍ରସ୍ତୁତ ଥିଲେ । ହେଲେ ଠିକ୍ ନାମାଙ୍କନ ଦାଖଲ ପୂର୍ବରୁ ପଦ୍ମପୁରରେ ବଦଳିଗଲା ବିଜେପିର ନିଷ୍ପତି । ଚାଷୀଙ୍କ ସାଥୀରେ ବସିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ଏକାଧିକ ବରିଷ୍ଠ ନେତା । ଚାଷିଙ୍କ ସ୍ୱରରେ ସ୍ୱର ମିଳାଇ, ବିଜେପି ନେତାମାନେ କହିଲେ, ଚାଷୀ ସମସ୍ୟାର ସମାଧାନ ନହେଲେ ନାମାଙ୍କନ ଦାଖଲ କରିବେ ନାହିଁ ପ୍ରଦୀପ ପୁରୋହିତ । ସ୍ଥଗିତ ହୋଇଗଲା କାର୍ଯ୍ୟକ୍ରମ ।

ଏହା ପୂର୍ବରୁ କିନ୍ତୁ ବିଶାଳ ସମାବେଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ଜଣେ ପରେ ଜଣେ ବରିଷ୍ଠ ବିଜେପି ନେତା । ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି ଏକାଧିକ ଦାବି ନେଇ ସ୍ଥାନୀୟ ଅଂଚଳରେ ଜନଅସନ୍ତୋଷ ଲାଗି ରହିଥିବା ବେଳେ ବିଜେପି ସଭାରେ ଏହି ସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେପିର ବରିଷ୍ଠ ନେତୃବୃନ୍ଦ । ପଦ୍ମପୁର ଜନତାଙ୍କ ସମସ୍ତ ଦାବି ସହ ଦଳ ଥିବା କହିବା ସହ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ବିଜେପିର ଏହି ପ୍ରସ୍ତୁତି ଭିତରେ କିନ୍ତୁ ପଦ୍ମପୁରର ଖେଳ ବଦଳାଇ ଦେଇ ପାରନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । କାରଣ, ଦୀର୍ଘ ବର୍ଷର ରାଜନୈତି ଅଭିଜ୍ଞତା ଥିବା ସତ୍ୟଭୁଷଣ ସାହୁ, ପଦ୍ମପୁର ଆସନରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୦, ୧୯୮୫ ଏବଂ ୨୦୦୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିବା ବେଳେ ୨୦୧୯ରେ ୩୨ ହଜାର ୭୮୭ ଭୋଟ୍ ପାଇଥିଲେ । ଯଦି ସତ୍ୟଭୂଷଣ ଦଳୀୟ ଭୋଟ୍କୁ ନିଜ ହାତ ମୁଠାରେ ରଖନ୍ତି ତେବେ ଉପ-ନିର୍ବାଚନରେ କିଏ ହେବ ବିଜୟୀ, ଚାବି କାଠି ଏବେ କଂଗ୍ରେସ ହାତରେ ।