ଦେଶରେ ବ୍ୟାପୁଛି ନାଗରିକତା ନିଆଁ । ସିଏଏକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ, ଉତ୍ତରପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା ।

95

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଶନିବାର ପଶ୍ଚିମ ଉତ୍ତରପ୍ରଦେଶର ରାମପୁରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଫଳରେ ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ ସମୟରେ ମୃତ୍ୟୁ ହୋଇଥିବା ବିକ୍ଷୋଭକାରୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ସେଠାରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ କରୁଥିବା ବିକ୍ଷୋଭକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ୨୦୦୦ ଲୋକଙ୍କୁ ଅଟକ ରଖିଛି।

ବିକ୍ଷୋଭ ପ୍ରଦର୍ଶନ ସମୟରେ ମେରଠରେ ୪ଜଣ, ବିଜନୋରରେ ୨ଜଣ, ସମ୍ଭଲରେ ୨ଜଣ, କାନପୁରରେ ୨ଜଣ ଓ ବାରାଣାସୀରେ ୨ଜଣ, ଫିରୋଜାବାଦରେ ଜଣେ, ମୁଜାଫରନଗରରେ ଜଣେ ଓ ରାମପୁରରେ ଜଣଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଶୁକ୍ରବାର ସୁଦ୍ଧା ମେରଠରେ ୩ ଜଣ, ବିଜନୋରରେ ୨ ଜଣ, ବାରାଣାସୀ, ଫିରୋଜାବାଦ, ସମ୍ଭଲ ଓ କାନପୁରରେ ଜଣ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା।

ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗୁରୁତର ଆହତ ହୋଇଥିବା ବିକ୍ଷୋଭକାରୀଙ୍କୁ ବିଭିନ୍ନ ଜିଲ୍ଲା ହସପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ସମୟରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ପଶ୍ଚିମ ଉତ୍ତରପ୍ରଦେଶର ମେରଠ, ମୁଜାଫରନଗର, ସମ୍ଭଲ, ଫିରୋଜାବାଦ, ଅମରୋହା, ବିଜନୋର ଓ ବୁଲନ୍ଦସହର ମସଜିଦରେ ଶୁକ୍ରବାର ନମାଜପାଠ ପରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, କାନପୁର, ଗୋରଖପୁର, ବାରାଣାସୀ, ବହରାଇଚରେ ବି ହିଂସା ଦେଖିବାକୁ ମିଳିଥିଲା।

ଗତ ଗୁରୁବାର ରାତିରେ ଲକ୍ଷ୍ମୌରେ ବିରୋଧ ପ୍ରଦର୍ଶନ ସମୟରେ ଜଣେ ବିକ୍ଷୋଭକାରୀ ଶରୀରରେ ଗୁଳି ବାଜିବା ହେତୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ସିଏଏ ବିରୋଧୀ ଆନ୍ଦୋଳନରେ ବିକ୍ଷୋଭକାରୀ ମୃତ୍ୟୁ ସଂଖ୍ୟା ଏଯାବତ ୧୫ରେ ପହଞ୍ଚିଥିବା କୁହାଯାଉଛି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶନିବାର ଟୁଇଟର ଜରିଆରେ, ରାଜ୍ୟର ଲୋକମାନଙ୍କୁ ଉତ୍ତେଜନା ସୃଷ୍ଟି ନ କରି ଶାନ୍ତ ରହିବାକୁ ନିବେଦନ କରିଛନ୍ତି ଏବଂ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନ କରିବାକୁ ସଚେତନ କରିଛନ୍ତି।