ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍

112

କନକ ବ୍ୟୁରୋ : ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ତେଣୁ ଠିକ ସମୟରେ ହୋଇପାରିନଥିଲା ବଜେଟ୍ ଅଧିବେସନ । ଏବେ ନିର୍ବାଚନ ଶେଷ ହୋଇଥିବାରୁ ବିଧାନସଭାର ସ୍ୱଳ୍ପକାଳୀନ ବିଜେଟ୍ ଅଧିବେସନରେ ଆସିବ କାମଚଳା ବଜେଟ୍ ।

ସେପଟେ ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଅଙ୍କାଯାଇଛି । ରିପୋର୍ଟ ଅନୁସାରେ, ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିବାର ଆକଳନ କରାଯାଇଛି । ବର୍ଷ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ଅଭିବୃଦ୍ଧି ହାର ୮.୮ ପ୍ରତିଶତରୁ ଅଧିକ ହେବାର ଆକଳନ କରାଯାଉଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବଡ କଥା ହେଉଛି, ରାଜ୍ୟରେ ମୁଣ୍ଡପିଛା ଆୟ ବଢିଥିବା ଏଥିରେ ଦର୍ଶାଯାଇଛି ।

୨୦୨୦- ୨୧ ତୁଳନାରେ ୨୦୨୧-୨୨ରେ ମୁଣ୍ଡପିଛା ଆୟ ୧୬.୮ ପ୍ରତିଶତ ବଢିବା ଆକଳନ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଆୟ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ହେବାର ଆକଳନ କରିଛନ୍ତି ସରକାର । ସେହିଭଳି ବେକାରୀ ହାର ମଧ୍ୟ କମିଥିବା ଏଥିରେ ଦର୍ଶାଯାଇଛି । ୨୦୧୭-୧୮ରେ ବେକାରୀ ହାର ୭.୧ ପ୍ରତିଶତ ଥିବା ବେଳେ ୨୦୧୯-୨୦ ବେଳକୁ ଏହା ୬.୨ ପ୍ରତିଶତକୁ ଖସିଛି ।

ରାଜ୍ୟର ଋଣ ପରିମାଣକୁ ନେଇ ବିବାଦ ଚାଲିଥିବା ବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି, ରାଜ୍ୟ କ୍ରମାଗତ ଭାବେ ଏକ ରାଜସ୍ୱ ବଳକା ରାଜ୍ୟ ହେବା ସହିତ ଆର୍ଥିକ ନିଅଂଟକୁ ଜିଏସଡିପିର ୩.୫ ପ୍ରତିଶତ ସ୍ତରରେ ରଖିଛି । ସେହିଭଳି ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ ସୂଚକାଙ୍କ, ସହରାଂଚଳ ଅଭିବୃଦ୍ଧି, ନାରୀ ସଶକ୍ତୀକରଣ ଏବଂ ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାର ହାସଲ କରିଥିବା ଉପଲବ୍ଧିକୁ ଅର୍ଥର୍ନୈତିକ ସର୍ଭେ ରିପୋର୍ଟ ଜରିଆରେ ଦର୍ଶାଇ, ରାଜ୍ୟ ସରକାର ଏକ ଗୋଲାପୀ ଚିତ୍ର ଆଙ୍କିଛନ୍ତି ।