ଋଷି ସୁନକଙ୍କୁ ମିଳିପାରେ ଦୀପାବଳି ଉପହାର! ଆଜି ରାତିରେ ଘୋଷଣା ହୋଇପାରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ।

90

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ ଷ୍ଟ୍ରସ ଇସ୍ତଫା ଦେଇସାରିଛନ୍ତି । ତେବେ କିଏ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ରେସରେ ହାରିଥିବା ଭାରତୀୟ ବଂଶୋଦ୍ଧବ ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ରେସରେ ଆଗରେ ରହିଛନ୍ତି । ଚଳିତ ଥର ସେ ସବୁଠାରୁ ମଜବୁତ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁସାରେ ସୁନକଙ୍କ ସହ ୧୫୫ ସାଂସଦଙ୍କ ସମର୍ଥନ ରହିଛି । ସେହିଭଳି ପେନି ମୋର୍ଡାଣ୍ଟଙ୍କ ସହ ୨୫ ସାଂସଦଙ୍କ ସମର୍ଥନ ରହିଛି । ଟୋରୀରେ ୩୫୭ ସାଂସଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮୦ ସାଂସଦ ସେମାନଙ୍କ ମତାମତକୁ ସାର୍ବଜନୀନ କରିଛନ୍ତି । ୫୦ରୁ ଅଧିକ ସାଂସଦ ରହିଛନ୍ତି ଯେଉଁମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ସେ ରେସରୁ ବାଦ ପଡିସାରିଛନ୍ତି ।

ସୋମବାର ବ୍ରିଟେନର ସ୍ଥାନୀୟ ସମୟ ୨ଟା ସୁଦ୍ଧା ନାମାଙ୍କନର ଶେଷ ସମୟ ରହିଛି । ଏହା ପରେ ନାମାଙ୍କନ ପ୍ରକ୍ରିୟା ବନ୍ଦ ହୋଇଯିବ । ଆସନ୍ତା ଗୁରୁବାର ରାତିରେ ନାମାଙ୍କନ ଖୋଲାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଯିବା ପାଇଁ ୩୫୭ ସାଂସଦଙ୍କ ମଧ୍ୟରୁ ଶହେ ସାଂସଦଙ୍କ ଭୋଟ ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ହୋଇଥାଏ । ଯିଏ ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରିପାରିବେ ସେ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।