ସ୍ତନ କର୍କଟକୁ ରୋକିବା ସମ୍ଭବ ! ଓଡିଆ ବୈଜ୍ଞାନିକ ଉଦ୍ଭାବନ କଲେ ନୂତନ ଔଷଧ । ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନର ସଫଳତା ।

151

କନକ ବ୍ୟୁରୋ : ଆଉ ମାରାତ୍ମକ ନୁହେଁ ସ୍ତନ କର୍କଟ । ଏବେ ସ୍ତନ କର୍କଟକୁ ରୋକିହେବ । ସବୁଠାରୁଅଧିକ ରୋଗୀ ମରୁଥିବା ଏହି କର୍କଟ ରୋଗ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି ଓଡିଆ ବୈଜ୍ଞାନିକ । କର୍କଟ ରୋଗର ପ୍ରାୟ ୩୭ପ୍ରତିଶତ ହେଉଛି ସ୍ତନ କର୍କଟ। ଏହି ରୋଗରେ ଜୀବନହାନି ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୨୦/୨୨ ବର୍ଷର ମହିଳାମାନେ ମଧ୍ୟ ବହୁଳ ଭାବରେ ଏହି ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛନ୍ତି। ଏହି ରୋଗକୁ ରୋକିବାରେ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ରେ ଗବେଷଣାରତ ବୈଜ୍ଞାନିକମାନେ ସଫଳତା ହାସଲ କରିଥିବା ଏହି କେନ୍ଦ୍ରୀୟ ସଂସ୍ଥାର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।

ଆଇଏଲଏସରେ କାର୍ୟ୍ୟରତ ଓଡ଼ିଆ ବୈଜ୍ଞାନିକ ଡ. ସନ୍ଦୀପ ମିଶ୍ରଙ୍କ ନେତୃତ୍ୱରେ ଗବେଷଣା କରୁଥିବା ଏକ ଦଳ ସ୍ତନ କର୍କଟକୁ ରୋକିବା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ଡ. ପରିଡ଼ା ସୂଚନା ଦେଇଛନ୍ତି। ଅନୁବଂଶିକ କୋଡ଼ ଓ ବିଭିନ୍ନ ପରିବେଶ ସମ୍ବନ୍ଧୀୟ ପ୍ରଭାବ ସ୍ତନ କର୍କଟର କାରଣ ହୋଇଥାଏ। ଧୂମପାନ ବା ନିକୋଟିନ ମଧ୍ୟ ସ୍ତନ କର୍କଟର ଏକ ପ୍ରଧାନ କାରଣ ବୋଲି କହିଛନ୍ତି ଡ. ମିଶ୍ର ।

କଲପ୍ରିଟ ଏନଜାଇମ ଭାବରେ ପରିଚିତ ଏକ କାରକ ସ୍ତନ କର୍କଟ ବର୍ଦ୍ଧିତ ଏନଜାଇମ ଭାବରେ ଜଣାଶୁଣା। ଇଜେଡଏଚ-୨ ନାମକ ଏହି ଅଙ୍କୋଜିନକୁ ରୋକିବାକୁ ଡି.ଜେଡ.ଏନଏଫ ନାମକ ଏକ କେମିକାଲକୁ ଔଷଧ ଭାବରେ ବ୍ୟବହାର କରାଯାଇପାରିବ। ଏହା ସ୍ତନ କର୍କଟ ରୋଗର ବୃଦ୍ଧିକୁ ରୋକିବା ସହିତ ଅନ୍ୟ ଅଙ୍ଗକୁ ପ୍ରସାରିତ ହେବାକୁ ରୋକିବାରେ ସଫଳ ହୋଇଥାଏ। ଇଆରଆର-ବିଟା ନାମକ ଏକ ଅଣୁର ଉଦ୍ଭାବନ କରିଥିବା ଡ. ମିଶ୍ର ଏହି ଅଣୁ ସହିତ ପତ୍ର ଓ ଫୁଲରୁ ତିଆରି ଆର୍ଟିମିସିନିନ ନାନୁଆର ମିଳିତ ପ୍ରୟୋଗରେ ବିଭିନ୍ନ ଅସୁନ୍ତଳନ ପ୍ରକ୍ରିୟା କାରଣରୁ ସୃଷ୍ଟି ହେଉଥିବା ସ୍ତନ କର୍କଟକୁ ରୋକିବାରେ ସଫଳ ହେଉଥିବା ଗବେଷଣା କାଳରେ ପ୍ରମାଣିତ ହୋଇଛି।

ଏହି ଔଷଧ ସ୍ତନ କର୍କଟର କାୟା ବୃଦ୍ଧିକୁ ଅଟକାଉଥିବାରୁ ଭଲ ହେବାର ଆଶା ବହୁତ ଥିବା ଡ.ମିଶ୍ର ଦାବି କରିଛନ୍ତି। ଏ ନେଇ ଡ. ମିଶ୍ରଙ୍କ ଗବେଷକ ଦଳ ମୂଷା ଏବଂ ମନୁଷ୍ୟ ମଡେଲରେ ପରୀକ୍ଷା କରିଛନ୍ତି। ଏସମ୍ପର୍କିତ ଡ. ମିଶ୍ରଙ୍କର ଗବେଷଣାଲବ୍ଧ ତଥ୍ୟ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଗବେଷଣାମୂଳକ ଜର୍ଣ୍ଣାଲ ବିଏମସି କ୍ୟାନସର ଓ ନେଚରରେ ପ୍ରକାଶ ହୋଇଛି।

ଏହି ଗବେଷଣାର ନିର୍ୟ୍ୟାସରୁ ଔଷଧ ପ୍ରସ୍ତୁତି ନିମନ୍ତେ କର୍କଟ ରୋଗ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ସହିତ ଆଲୋଚନା ଚାଲିଛି। ଏହି ଗବେଷଣାଲବ୍ଧ ତଥ୍ୟକୁ କେବଳ ଓଡ଼ିଶା ମଧ୍ୟରେ ସୀମିତ ନ ରଖି ଜାତୀୟ ସ୍ତରରେ ପ୍ରସାରିତ କରିବାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରାମର୍ଶ ଦେଇଥିବା ଆଇଏଲଏସର ନିର୍ଦ୍ଦେଶକ ଡ. ପରିଡ଼ା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଇଏଲଏସ କର୍କଟ ବିଜ୍ଞାନ, ସଂକ୍ରାମକ ରୋଗ ଏବଂ କୃଷି ବିଜ୍ଞାନ ଭଳି ତିନିଟି ପ୍ରମୁଖ ବିଭାଗରେ ଗବେଷଣା କରୁଛି।