ପରିବାର ବୋଝ ହାଲୁକା କରିବା ବଦଳରେ ବୋଝ ପାଲଟିଗଲା ରୋଜଗାରିଆ ପୁଅ: ଦୁର୍ଘଟଣା ପରେ କଟାଗଲା ଦୁଇ ଗୋଡ

186

କନକ ବ୍ୟୁରୋ: ଏବେ ଆମେ ଏମିତି ଜଣେ ଯୁବକଙ୍କ କାହାଣୀ କହିବୁ, ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ଇଲେକ୍ଟ୍ରିକାଲ ଡ଼ିପ୍ଲୋମା ପଢି ସାରିବା ପରେ ପରିବାର ଦୁଃଖରେ ସହାୟକ ହେବେ ବୋଲି ଆଶା ରଖିଥିଲେ। ରୋଜଗାର କରି ପରିବାର ପୋଶିବେ, ହେଲେ ସେ କେବେ କଳ୍ପନା ମଧ୍ୟ କରିନଥିଲେ, ଓଲଟା ପରିବାର ପାଇଁ ବୋଝ ପାଲଟିଯିବେ ।

ଦୁଃଖ ଯେତେବେଳେ ଆସେ, ପାହାଡ଼ ଭଳି ମାଡ଼ିବସେ । ଯେବେ ସମୟ କଡ଼ ଲେଉଟାଏ.. ସେବେ ମଣିଷ ଅସହାୟ ହୋଇଯାଏ..। ଜୀବନର ଗତିପଥ ବଦଳିଯାଏ..। ଏଇ ଯେମିତି ଯୁବାବସ୍ଥାରେ ବଦଳି ଯାଇଛି ଗଂଜାମ ଜିଲ୍ଲା ଭଂଜନଗରର ଶିବରାମ ଜେନାଙ୍କ ଜୀବନ। ବୟସ ମାତ୍ର ୩୧। ପିଲାଦିନରୁ ବାପାଙ୍କୁ ହରାଇଥିଲେ। ଆଉ ଏବେ ରୋଜଗାର କରିବା ବୟସରେ ଦୁର୍ଘଟଣାରେ ଶରୀରରୁ ଅଧାଅଂଶ ହରାଇଛନ୍ତି।ଦୁର୍ଘଟଣାର ଶିକାର ହୋଇ ସଂପୂର୍ଣ୍ଣ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ।

ଶିବରାମ ଜଣେ ମେଧାବୀ ଛାତ୍ର ଥିଲେ। ଜୟପୁରର ଏକ ଘରୋଇ କଲେଜରେ ଡ଼ିପ୍ଳୋମା ଇଂଜିନିୟରିଂ ପାଠ ସାରି ସୁନାବେଢ଼ା ହାଲ କମ୍ପାନିରେ ଟ୍ରେନିଂ ନେଇଥିଲେ। ୨୦୧୭ରେ ନାସିକର ଏକ ପାଇପ କମ୍ପାନିରେ ଚାକିରି କରୁଥିଲେ। କରୋନା ବେଳେ ଛୁଟିରେ ଘରକୁ ଆସିଥିଲେ। ମାଙ୍କ ଔଷଧ ପାଇଁ ଗାଁରୁ ବ୍ରହ୍ମପୁର ଯିବା ରାସ୍ତାରେ ଏକ ଘରୋଇ ବସ ଦୁର୍ଘଟଣା, ଶିବରାମଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ଶିବରାମଙ୍କର ୨ଟିଯାକ ଗୋଡ଼ କଟାଯାଇଛି। ଯୁବାବସ୍ଥାରେ ଶିବରାମ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ।

ଦୁର୍ଘଟଣା ପରେ ଚାକିରି ହରାଇ ସରାକାରୀ ସହାୟତା ପାଇଁ ବହୁବାର ଗୁହାରି କରିଛନ୍ତି । ୭ ବର୍ଷ ମଧ୍ୟରେ କେତେଥର ପ୍ରଶାସନକୁ ଗୁହାରି କରିଛନ୍ତି ତାହାର ହିସାବ ନାହିଁ। ହେଲେ ମାତ୍ର ୩୦ ହଜାର ଟଙ୍କାର ସହାୟତା ଦେଇ ଚୁପ ରହିଥିଲେ ଜିଲ୍ଳା ପ୍ରଶସନ । ଏବେ ମାତ୍ର ଦୁଇ ମାସ ହେବ ୨ ହଜାର ଟଙ୍କା ଭତା ମିଳିଛି। କାହିଁକି ୭ ବର୍ଷ ହେଲା ଦିବ୍ୟାଙ୍ଗ ଶିବରାମଙ୍କୁ ଭତା ଦିଆଯାଇନାହିଁ ବୋଲି ଭଂଜନଗର ବିଡ଼ିଓଙ୍କୁ ଉତ୍ତର ମାଗିଛନ୍ତି ଭଂଜନଗର ବିଧାୟକ ।